ଫେସବୁକରେ ‘ଲାଇକ’ ପାଇବାକୁ ଅଲଆଉଟ ପିଇବାର ଭିଡିଓ ପୋଷ୍ଟ କଲେ ଯୁବକ

ନୂଆଦିଲ୍ଲୀ:ଆଜିକାଲି ସୋସିଆଲ ମିଡ଼ିଆ ଯୁଗରେ କିଛି ଯୁବପିଢ଼ି ଲାଇକ ଓ କମେଣ୍ଟ ପାଇଁ ପାଗଳ ପ୍ରାୟ ହୋଇପଡୁଛନ୍ତି | କିଭଳି ଅଧିକରୁ ଅଧିକ ଲାଇକ ପାଇବେ ଓ ଫଲୋୟର୍ସ ସଂଖ୍ୟା ବଢିବ ସେଥିପାଇଁ କିଛି ଅଜବ ବାଟ ଆପଣାଉଛନ୍ତି | ଆଜି ଆମେ ଏଭଳି ଜଣେ ଯୁବକଙ୍କ କାରନାମା ବାବଦରେ କହିବୁ ଯାହାଙ୍କ ବାବଦରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ବାସ୍ତବରେ ଉତ୍ତରପ୍ରଦେଶର ନୋଏଡା ପୁଲିସର କଣ୍ଟ୍ରୋଲ ରୁମକୁ ଏକ ଖବର ଆସିଥିଲା ଯେ ଜଣେ ଯୁବକ ମଶା ମାରିବା ଲିକ୍ୱିଡ଼ ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଛନ୍ତି | ଏପ୍ରିଲ ୨୫ ତାରିଖ ବିଳମ୍ବିତ ରାତି ପ୍ରାୟ ୧୨:୪୫ ସମୟରେ ନୋଏଡା ପୁଲିସର ସାଇବର ସେଲ ଏହି ସୂଚନା ଦେଇଥିଲା |

ଏହାପରେ ତୁରନ୍ତ ଯୁବକଙ୍କ ମୋବାଇଲ୍ ନମ୍ବର ସଂଗ୍ରହ କରାଯାଇଥିଲା | ଏହାପରେ ସୋସିଆଲ୍ ମିଡିଆ ସେଲ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ମୋବାଇଲ୍ ନମ୍ବରର ଲୋକେସନ ଅନୁସନ୍ଧାନ କରି ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକ ରଖିଥିଲା | ଏହାପରେ ପୁଲିସ ଯେତେବେଳେ ତଦନ୍ତ କରିଥିଲା ଜଣାପଡିଥିଲା ଯେ ଫେସବୁକରେ ଲାଇକ ପାଇବାକୁ ଓ ଫଲୋୟର୍ସ ସଂଖ୍ୟା ବଢାଇବାକୁ ଯୁବକ ଜଣକ ମିଛରେ ଏଭଳି ନାଟକ କରିଛନ୍ତି | ଏହାପରେ ପୁଲିସ ତାଙ୍କୁ ବୁଝାଇସୁଝାଇ ଛାଡିଦେଇଥିଲା |

ଏନେଇ ପୁଲିସ ଅଧିକାରୀ କହିଛନ୍ତି ଯେ ଫେସବୁକ୍ ପେଜରେ ଫଲୋୟର୍ସ ବଢାଇବାକୁ ଜଣେ ୨୦ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ପୋଷ୍ଟ କରିଥିଲେ | ଯୁବକ ଜଣକ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ତାଙ୍କ ହାତରେ ଅଲଆଉଟ୍ (ମଶା ମାରିବା ପାଇଁ ବିଷାକ୍ତ ଲିକ୍ୱିଡ଼) ପିଉଥିବାର ନଜର ଆସିଥିଲେ | ଏ ବାବଦରେ ଜଣାପଡିବା ପରେ ପୁଲିସ ତୁରନ୍ତ ଯୁବକଙ୍କ ଘରେ ପହଞ୍ଚି ତାଙ୍କୁ ଅଟକ ରଖିଥିଲା |

Spread the love