ଅଗ୍ନିପଥ ନିଆଁ: ରାଜପଥରେ ୬୦କିମି ଦୌଡ଼ି ପ୍ରତିବାଦ କଲେ ଯୁବକ

ନବରଙ୍ଗପୁର ୧୮/୦୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ସାରା ଦେଶରେ ନିଆଁ ଜଳୁଛି । ବିହାର, ଉତ୍ତରପ୍ରଦେଶ, ହରିଆଣା, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡରେ ଜୋର୍‌ଦାର୍‌ ହଙ୍ଗାମା ଚାଲିଛି । ଏହାକୁ କେନ୍ଦ୍ରକରି ବାଲେଶ୍ୱର ସୋର ଅଞ୍ଚଳର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଏହି ବିରୋଧର ଏକ ଭିନ୍ନ ଝଲକ ନବରଙ୍ଗପୁରରେ ଦେଖିବାକୁ ମିଳିଛି । ଯୋଜନାରେ ଚାକିରି ସମୟ ସୀମାକୁ ୪ବର୍ଷରୁ ୧୫ବର୍ଷକୁ ବୃଦ୍ଧି କରିବା ଦାବିରେ ଏଠାରେ ଜଣେ ଯୁବକ ରାଜପଥରେ ୬୦କିମି ଦୌଡ଼ି ପ୍ରତିବାଦ ଜଣାଇଛନ୍ତି । ଯୁବକ ଜଣକ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଉମରକୋଟସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପର୍ଯ୍ୟନ୍ତ ୬୦ କିମି ରାସ୍ତାକୁ ୫ ଘଣ୍ଟା ୨୬ମିନିଟ୍‌ରେ ଅତିକ୍ରମ କରିଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ମିଳିଲେ ସେ ମାରାଥନ୍‌ ଦୌଡ଼ିବେ ବୋଲି କହିଛନ୍ତି ।

ଯୁବକ ହେଉଛନ୍ତି ଉମରକୋଟ ସହର ସନ୍ତୋଷ ନଗରର ୨୩ ବର୍ଷୀୟ ନରେଶ ବିଶ୍ୱାସ । ନରେଶ ଯୁକ୍ତ ଦୁଇ ବାଣିଜ୍ୟର ଛାତ୍ର । ୭ ମାସ ତଳେ ଏକ ଦୁର୍ଘଟଣାରେ ତାଙ୍କ ବାପା ଶଙ୍କର ବିଶ୍ୱାସଙ୍କର ମୃତ୍ୟୁ ହୋଇଛି । ଘରେ ସାନଭାଇ ଓ ମାଆ ଅଛନ୍ତି । ପରିବାର ପ୍ରତିପୋଷଣ ପାଇଁ ସେ ଦିନ ମଜୁରିଆ କାମ କରୁଛନ୍ତି । ସେ କହିଛନ୍ତି, ଦୀର୍ଘ ୪ବର୍ଷ ଧରି ସେନାରେ ନିଯୁକ୍ତି ପାଇଁ ଚେଷ୍ଟା କରି ଆସୁଛନ୍ତି । ଓଡ଼ିଶାରେ କନ୍‌ଷ୍ଟେବଲ୍‌ଠାରୁ ଆରମ୍ଭକରି ପୁଲିସ ଅଧିକାରୀ ପର୍ଯ୍ୟନ୍ତ ୧୭ହଜାର ପଦ ଖାଲିପଡ଼ିଛି । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଚାକିରି ସମୟ ସୀମା ମାତ୍ର ୪ବର୍ଷ ରଖାଯାଇଛି । ଏହାକୁ ୧୫ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଦରକାର ।

Spread the love