Youtubeର ଚେତାବନୀ ! ବିଜ୍ଞାପନ ଦେଖ…ନହେଲେ ପଇସା ଦିଅ

ଆପଣ ୟୁଟ୍ୟୁବରେ ଭିଡିଓ ଦେଖିଲା ବେଳେ ବାରମ୍ବର ଆଡ୍ (ବିଜ୍ଞାପନ) ଆସୁଛି କି ? ଆପଣ ତାକୁ ସ୍କିପ୍ କରି ଦେଉଛନ୍ତି କି ? ଯଦି ଏପରି କରୁଛନ୍ତି ସାବଧାନ । ଆଗକୁ ଆଉ ଏପରି ହେବ ନାହିଁ । ଆପଣ ବିଜ୍ଞାପନ ଦେଖିବାକୁ ବାଧ୍ୟ, ନଚେତ୍ ଆପଣ ଦେଖୁଥିବା କଣ୍ଟେଣ୍ଟ ବା ଭିଡିଓ ବ୍ଲକ୍ ହୋଇଯିବ । ୟୁଜର୍ସଙ୍କୁ ଏଭଳି ଚେତାବନୀ ଦେଇଛି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ୟୁଟ୍ୟୁବ୍ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ଗୁରୁତ୍ବ ବଢ଼ିଛି । ବିଶେଷ କରି ମନୋରଞ୍ଜନ ଓ ଖବର ଜାଣିବାର ପ୍ରମୁଖ ମାଧ୍ୟମ ପାଲଟିଛି ୟୁଟ୍ୟୁବ୍‌ । ପିଲାଠୁ ବୟସ୍କ ସମସ୍ତେ ୟୁଟ୍ୟୁବ୍‌ରେ ଭିଡିଓ ଦେଖିବାକୁ ଭଲ ପାଆନ୍ତି । କିନ୍ତୁ, ବହୁତ ଲୋକ ୟୁଟ୍ୟୁବ୍‌ରେ ବିଜ୍ଞାପନ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ବିଜ୍ଞାପନ ଆସିଲେ ସେମାନେ ଏହାକୁ ସ୍କିପ୍ କରି ଯାଆନ୍ତି। ଆଉ କିଛି ଲୋକ ଆଡ୍ ବ୍ଲକର ଆପ୍ ବ୍ୟବହାର କରୁଛନ୍ତି । ଆଡ୍ ବ୍ଲକର ଟୁଲ୍ ମାଧ୍ୟମରେ ଭିଡିଓରେ ଆସୁଥିବା ବିଜ୍ଞାପନ ଆଉ ଦେଖାଯାଇ ନଥାଏ । ଏକଥା ୟୁଟ୍ୟୁବ ନୋଟିସକୁ ଆସିବା ପରେ ଏହାକୁ ଗୁରୁତର ସହ ନେଇଛି କମ୍ପାନୀ । ଆଡ୍ ବ୍ଲକ୍‌ର ବ୍ୟବହାର କରୁଥିବା ୟୁଜର୍ସଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଯାଉଛି ୟୁଟ୍ୟୁବ୍ । କମ୍ପାନୀ ଏଭଳି ଏକ ଇଣ୍ଟରନାଲ୍‌ ଟୁଲ୍ ବିକଶିତ କରିଛି । ଯାହା ଦ୍ବାରା ୟୁଜର୍ସମାନେ ଆଉ ଆଡ୍ ବ୍ଲକର ଆପ୍ ବ୍ୟବହାର କରିପାରିବେ ନାହିଁ ।

ସ୍ଲିପିଂ କମ୍ପ୍ୟୁଟର ରିପୋର୍ଟ ଅନୁଯାୟୀ, କିଛି ୟୁଜର୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟ୍‌ର ସ୍କ୍ରିନ୍ ସଟ୍ ସେୟାର କରିଥିଲେ । ଯେଉଁଥିରେ ସେମାନଙ୍କୁ ପପ୍ ଅପ୍ ମେସେଜ୍‌ ଜରିଆରେ ଏକ ନୋଟିସ ମିଳିଛି । ଯଦି, ଆପଣ ‘ଆଡ୍ ବ୍ଲକିଂ ଆପ୍’ ବନ୍ଦ ନ କରିବେ, ତେବେ ୩ଟି ଭିଡିଓ ପରେ ଆଉ ଭିଡିଓ ଚାଲିବ ନାହିଁ । ଯେର୍ଯ୍ୟନ୍ତ ୟୁଜର ଆଡ୍‌ ବ୍ଲକର ଅଚଳ ନ କରିଛନ୍ତି ସେପର୍ଯ୍ୟନ୍ତ ସେମାନଙ୍କ ଭିଡିଓ ପ୍ଲେୟାର ବ୍ଲକ୍ ରହିବ । ଏହାର ଅର୍ଥ ଆପଣ ଆଉ ୟୁଟ୍ୟୁବରେ ଭିଡିଓ ଦେଖିପାରିବେ ନାହିଁ । ‘ଦି ବର୍ଜ’ରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ୟୁଟ୍ୟୁବ୍‌ର ଜଣେ ମୁଖପାତ୍ର କହିଛନ୍ତି, ‘ଆମେ ବିଶ୍ବ ସ୍ତରରେ ଏକ ପରୀକ୍ଷା ନିରୀକ୍ଷା କରୁଛୁ । ଯେଉଁ ୟୁଜର୍ସମାନେ ‘ଆଡ୍ ବ୍ଲକର’ ଆପ୍ ବ୍ୟବହାର କରୁଛନ୍ତି, ସେମାନଙ୍କୁ ଏକ ନୋଟିସ୍‌ ଦିଆଯାଉଛି । ସେମାନେ ବିଜ୍ଞାପନକୁ ଅନୁମତି ଦିଅନ୍ତୁ, ନଚେତ୍ ‘ୟୁଟ୍ୟୁବ ପ୍ରିମିୟମ୍‌’ ସବ୍‌ସ୍କ୍ରିପସନ୍‌ ନିଅନ୍ତୁ’ ।

କ’ଣ ରହିଛି ୟୁଟ୍ୟୁବର ସର୍ତ୍ତ ?

ୟୁଟ୍ୟୁବର ମୂଳ କମ୍ପାନୀ ଗୁଗ୍‌ଲ ପକ୍ଷରୁ କୁହାଯାଇଛି, ‘ଆଡ୍‌ ବ୍ଲକର’ ୟୁଟ୍ୟୁବ୍ ସେବା ସର୍ତ୍ତର ଉଲ୍ଲଙ୍ଘନ କରୁଛି । ବିଜ୍ଞାପନ ଦେଖିବା ପାଇଁ ବାରମ୍ବାର ୟୁଜର୍ସଙ୍କୁ ନୋଟିସ ପଠାଯିବ । ସେମାନଙ୍କ ପ୍ଲାଟଫର୍ମରେ ବିଜ୍ଞାପନ ଦେଖିବାକୁ କୁହାଯିବ । ଯଦି ସେମାନେ ଏଥିରେ ଖିଲାପ କରିବେ ତାଙ୍କୁ ବ୍ଲକ୍ କରିଦିଆଯିବ । ଅନ୍ୟପଟେ ଦେଖା ଯାଇଛି କି, ୟୁଟ୍ୟୁବ୍‌ ଭିଡିଓରେ ବାଜ୍ଞାପନର ଅବଧି ବଢି ବଢି ଚାଲିଛି । ଏମିତି ସର୍ଟସ୍‌ ଭିଡିଓରେ ମଧ୍ୟ ବିଜ୍ଞାପନ ଆସୁଛି । ଆଉ ସବୁଠୁ ବଡ଼ କଥା ହେଉଛି ଅଧିକାଂଶ ବିଜ୍ଞାପନରେ ଏବେ ସ୍କିପ୍ ବଟନ ରହୁନାହିଁ । ଆଗରୁ ସର୍ଟସ୍‌ ଭିଡିଓରେ ସ୍କିପ୍ ବନଟ ରହୁଥିଲା ଏବେ ଆଉ ତାହା ଦେଖିବାକୁ ମିଳୁନାହିଁ । ତେଣୁ ୟୁଜର୍ସମାନେ ବିଜ୍ଞାପନ ଦେଖିବାକୁ ବାଧ୍ୟ ହେଉଛନ୍ତି । ଏଠାରେ କହି ରଖୁଛି କି ୟୁଟ୍ୟୁବ୍ ତାର ୟୁଜର୍ସଙ୍କୁ ‘ଆଡ୍ ଫ୍ରି’ (ବିନା ବିଜ୍ଞାପନ)ରେ ଭିଡିଓ ଦେଖିବା ପାଇଁ ପ୍ରିମିୟମ୍ ମେମ୍ବରସିପ୍‌ର ସୁବିଧା ଦେଉଛି । ଏଥିପାଇଁ ୟୁଜର୍ସଙ୍କୁ ମାସିକ କିଛି ଅର୍ଥ ଦେବାକୁ ପଡ଼ିବ। ଭାରତରେ ୟୁଟ୍ୟୁବ୍‌ ବ୍ୟବହାରକାରୀଙ୍କ ପାଇଁ ୧୨୯ ଟଙ୍କାରୁ ଆରମ୍ଭ ହେଉଛି ୟୁଟ୍ୟୁବ ପ୍ରିମିୟମ୍‌ର ସବସ୍କ୍ରିପସନ୍‌ ସୁବିଧା । ଏହା ଦ୍ବାରା ୟୁଜର୍ସମାନେ ବିନା ବିଜ୍ଞାପନରେ ଭିଡିଓ ଦେଖିପାରିବେ ।

Spread the love