ଫିକା ପଡିବ ନୂଆବର୍ଷ : ପିକନିକ୍ ଓ ଜିରୋ ନାଇଟ୍ ସେଲିବ୍ରେସନ୍ ମନା

ଭୁବନେଶ୍ୱର,୨୪/୧୨:   ନୂଆ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ନୂଆ କଟକଣା । ପିକନିକ୍ ଓ ବଣଭୋଜି ଉପରେ ରୋକ୍ । ହୋଇପାରିବନି ଭୋଜିଭାତ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ପରେ ସରକାର ଏପରି କଟକଣା ଲଗାଇଛନ୍ତି ।

ସୂଚନାନୁସାରେ, ରାଜ୍ୟରେ ୪ ଜଣ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି । ଆଗକୁ ନୂଆ ବର୍ଷ ଥିବାରୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଯାହାକୁ ନଜରରେ ରଖି ସରକାର ନୂଆବର୍ଷ ପାଇଁ କଟକଣା ଲାଗୁ କରିଛନ୍ତି । ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏଁ କଟକଣାକୁ କଡାକଡି ପାଳନ କରିବାକୁ ସରକାର କହିଛନ୍ତି ।

କଟକଣା ଅନୁସାରେ, ହୋଟେଲ, କଲ୍ୟାଣ ମଣ୍ଡପ ସମେକ କୌଣସି ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ, ଭୋଜିଭାତ, ସର୍ବସାଧାରଣରେ ଭୋଜିଭାତ ଉପରେ ରୋକ୍ ଲାଗିଛି । ସେହିପରି ବଡଦିନ ଓ ନୂଆବର୍ଷରେ କୌଣସି ସ୍ଥାନରେ ବଣଭୋଜି ହୋଇପାରିବ ନାହିଁ । ଆହୁରି ମଧ୍ୟ  ଖ୍ରୀଷ୍ଟମାସ୍ ପାଳନ ବେଳେ ଚର୍ଚ୍ଚରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ । ଏହାସହ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ହେବ ।

ଏତତ୍ ବ୍ୟତୀତ , ବିବାହ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ । ରାଲି, ନାଚଗୀତ ଆଦି ଉପରେ ରୋକ୍ ଲାଗିଛି । ଶବ ସତ୍କାଳ ବେଳେ ବି କୋଭିଡ କଟକଣାକୁ ପାଳନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି ।

Spread the love