ଅକ୍ସଫୋର୍ଡ ୟୁନିୟନରେ ଭାରତ- ପାକିସ୍ତାନ ଛାତ୍ରଙ୍କ ଡିବେଟ୍‌

ଲଣ୍ଡନ : ବ୍ରିଟେନର ବିଶ୍ୱ ପ୍ରସିଦ୍ଧ ଅକ୍ସଫୋର୍ଟ ୟୁନିୟନ ସୋସାଇଟିରେ ଭାରତ ଓ ପାକିସ୍ତାନ ଛାତ୍ରଙ୍କ ମଧ୍ୟରେ ଡିବେଟ ହୋଇଛି । ନଭେମ୍ବର ୨୭ରେ ଏହି ଡିବେଟ ହୋଇଥିଲେ ମଧ୍ୟ ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏଥିରେ ଭାରତ ତରଫରୁ ମୁମ୍ବଇର ଛାତ୍ର ବିରାଂଶ ଭାନୁଶାଳୀ ଓ ପାକିସ୍ତାନ ପାଇଁ ମୁସା ହର୍ରାଜ ପ୍ରତିନିଧିତ୍ୱ କରିଥିଲେ । ଡିବେଟ ଶୀର୍ଷକ ଥିଲା ‘ଇଣ୍ଡିଆସ ପଲିସି ଟୁୱାର୍ଡ୍ସ ପାକିସ୍ତାନ ଇଜ୍ ଏ ପପୁଲିଷ୍ଟ ଷ୍ଟ୍ରାଟେଜି ସୋଲ୍ଡ ଆଜ ସିକ୍ୟୁରିଟି ପଲିସି’ । ଡିବେଟ ଅବସରରେ ଭାନୁଶାଳୀ ମୁମ୍ବଇ ୨୬/୧୧ ଆକ୍ରମଣର ଉଦାହଣ ଦେଇଥିଲେ । ଏହି ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ପାକିସ୍ତାନକୁ ଲାଜ ଲଗୁନାହିଁ । ତେଣୁ ପାକିସ୍ତାନକୁ ଲଜ୍ଜିତ କରାଯାଇପାରିବ ନାହିଁ ବୋଲି ସେ କହିଥିଲେ । ଭାରତ ଉପରେ ପାକିସ୍ତାନର ଆତଙ୍କବାଦୀ ଆକ୍ରମଣର ତାଲିକା ଲମ୍ବା ବୋଲି ସେ କହିଥିଲେ । ଏହି କ୍ରମରେ ସେ ପହଲଗାମ, ପଠାନକୋଟ, ଉରୀ, ପୁଲବାମା, ଅକ୍ଷରଧାମ, ପାର୍ଲାମେଣ୍ଟ ଆକ୍ରମଣ ଓ ଏହି ଭଲି କେତେକ ଉଦାହରଣ ଦେଇଥିଲେ । ତେବେ ଏହି ଆକ୍ରମଣକୁ ନେଇ ଭାରତ ରାଜନୀତି କରୁଛି ବୋଲି ମୁସା କହିଥିଲେ । କିନ୍ତୁ ଏହା ରାଜନୀତି ନୁହେଁ ଭାରତ ପରିପକ୍ୱତା ପ୍ରଦର୍ଶନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ଭାନୁଶାଳୀ କହିଥିଲେ । ଏହି ଡିବେଟରେ ଦୁଇ ଛାତ୍ର ପରସ୍ପର ଦେଶକୁ ଆକ୍ଷେପ କରିଥିଲେ । ଉଲ୍ଲେଖଥାଉ କି, ନଭେମ୍ବରରେ ଦୁଇ ଦେଶ ମଧ୍ୟରେ ଏହି ଡିବେଟ୍ ବାତିଲ ହୋଇଥିଲା । ଅକ୍ସଫୋର୍ଡ ୟୁନିୟନ (ଓୟୁ) ବିଶ୍ୱର ସର୍ବପୁରାତନ ଷ୍ଟୁଡେଣ୍ଟ ଡିବେଟ୍ ସୋସାଇଟି ଭାବେ ପରିଗଣିତ ହୋଇଥାଏ । ୧୮୨୩ରେ ଏହା ସ୍ଥାପିତ ହୋଇଥିଲା ଓ ଏହାକୁ ଅକ୍ସଫୋର୍ଡର ଛାତ୍ର ପରିଚାଳନା କରିଥାନ୍ତି ।

Spread the love