ଅତ୍ୟଧିକ ଅଏଲି ହେୟାର ପାଇଁ ଚିନ୍ତିତ ଅଛନ୍ତି କି? ଆପଣାନ୍ତୁ ଏହି ସବୁ ସହଜ ଉପାୟ
ଚାଲିଛି ଗ୍ରୀଷ୍ମ ଋତୁ । ଗରମ ଦିନରେ ତ୍ୱଚା ସହିତ କେଶର ବି ସ୍ୱତନ୍ତ୍ର ଧ୍ୟାନ ରଖିବା ନିହାତି ଆବଶ୍ୟକ । ନଚେତ ଲଗାତାର ଧୂଳି ମାଟି ଆଦି ସଂସ୍ପର୍ଶରେ ଆସି କେଶ ଅଧିକ ଡ୍ରାଏ କିମ୍ବା ଅଏଲି ହେବାର ସମ୍ଭାବନା ରହିଛି । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ହେୟାର କେୟାର ରୁଟିନ୍ ବିଷୟରେ କହିବୁ, ଯାହା ସାହାଯ୍ୟରେ ଆପଣ ଅତି ସହଜରେ ନିଜ କେଶକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଏଲ ଫ୍ରି ରଖିପାରିବେ ।
ପ୍ରାୟତଃ ଆପଣ ଅନୁଭବ କରିଥିବେ ଯେ କେଶ ଧୋଇବା ପରେ ମଧ୍ୟ ଆମ କେଶ କିଛି ଦିନ ଭିତରେ ହିଁ ଶୀଘ୍ର ତେଲିଆ ଏବଂ ଷ୍ଟିକି ହୋଇଯାଏ । ଯେଉଁଥିପାଇଁ କେଶକୁ ବାରମ୍ବାର ଧୋଇବାକୁ ପଡେ । କିନ୍ତୁ ଆଜି ଆମେ ଆପଣଙ୍କୁ ହେୟାର କେୟାର ରୁଟିନର କିଛି ଏଭଳି ସ୍ମାର୍ଟ ଏବଂ ସହଜ ପଦ୍ଧତି ବିଷୟରେ ଜଣାଇବାକୁ ଯାଉଛୁ ଯାହା ଦ୍ୱାରା କେଶ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଏଲ ଫ୍ରି ରହିପାରିବ ।
ଯେତେବେଳେ ଆପଣଙ୍କର କେଶ ଧୋଇବା ପାଇଁ ସମୟ ନଥାଏ, ସେହି ସମୟରେ ଆପଣ ନିଜ କେଶରେ ଡ୍ରାଏ ସାମ୍ପୁ ବ୍ୟବହାର କରିପାରିବେ । ଏହା ବ୍ୟବହାର କରିବା ମଧ୍ୟ ସହଜ, କେବଳ ବୋତଲକୁ ହଲାଇ କେଶ ମୂଳରେ ସ୍ପ୍ରେ କରନ୍ତୁ ଏବଂ ଧୀରେ ଧୀରେ ମାଲିସ୍ କରନ୍ତୁ । ଯଦି ଆପଣଙ୍କର କେଶ ଶୀଘ୍ର ତେଲିଆ ହୋଇଯାଉଛି ତେବେ ଏଭଳି ଏକ ସାମ୍ପୁ ବାଛନ୍ତୁ ଯାହାକି ବିଶେଷ ଭାବରେ ତେଲିଆ କେଶ ପାଇଁ ତିଆରି ହୋଇଥାଏ ।
ଏହି ସାମ୍ପୁଗୁଡ଼ିକ କେଶରୁ ଅଧିକ ତେଲ ବାହାର କରିବାରେ ସାହାଯ୍ୟ କରିଥାଏ, କେଶକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଫା ଏବଂ ସତେଜ ରଖେ । ଏହା ବ୍ୟତୀତ ଯଦି ଆପଣ ଚାହିଁବେ କୌଣସି ହେୟାର କେୟାର ପ୍ରଡକ୍ଟ ବଦଳରେ ଘରୋଇ ଚିକିତ୍ସା ମଧ୍ୟ ଆପଣେଇ ପାରିବେ । ଏମିତିକି ଆପଣ ଘରେ ପ୍ରସ୍ତୁତ କରି କୌଣସି ହେୟାର ପ୍ୟାକ ବି ଲଗେଇ ପାରିବେ । ଯାହା ଆପଣଙ୍କ କେଶକୁ ତେଲିଆ ହେବାରୁ ଦୁରେଇ ରଖିବ ।
ଯଦି ଆପଣଙ୍କର ମଧ୍ୟ ତେଲିଆ କେଶ ଏବଂ ଆପଣ ବାହାର ପ୍ରଡକ୍ଟ ବ୍ୟବହାର କରିବାକୁ ଚାହୁଁନାହାନ୍ତି ତେବେ ଆପଣ ମୁଲତାନି ମାଟିରେ ଲେମ୍ବୁ ରସ ମିଶାଇ ଲଗାଇ ପାରିବେ । ଏଥିପାଇଁ ଏକ ପାତ୍ରରେ ୪ ଚାମଚ ମୁଲତାନି ମାଟି, ଗୋଟିଏ ଲେମ୍ବୁ ରସ ସହିତ ଆବଶ୍ୟକତା ଅନୁସାରେ ପାଣି ମିଶାଇ କେଶରେ ଲଗାନ୍ତୁ । ଧୀରେ ଧୀରେ ଏହାକୁ ମାଲିସ କରନ୍ତୁ । ଏହା ଦ୍ୱାରା କେଶରେ ଅତ୍ୟଧିକ ତେଲିଆ ପଣ ବାହାରିଯିବ । ଏଭଳି କିଛି ସହଜ ଉପାୟ ଆପଣେଇ ଆପଣ ନିଜ କେଶକୁ ତେଲିଆ ହେବାରୁ ରକ୍ଷା କରିପାରିବେ ।