ଅନଲାଇନ ଖେଳ ହେଲା କାଳ, ୫ ଲକ୍ଷ ହରାଇବା ପରେ ଜୀବନ ହାରିବାକୁ ଉଦ୍ୟମ
ଜଳେଶ୍ବର : ଅନଲାଇନ ଖେଳ ହେଲା କାଳ । ୫ ଲକ୍ଷ ଟଙ୍କା ହରାଇବା ପରେ ନିଜକୁ ଛୁରୀ ମାରି ଜୀବନ ହାରିବା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ତେଘରି ଗାଁରୁ ଆସିଛି ଅଭାବନୀୟ ଘଟଣା । କୋଟିପତି ହେବା ନିଶାରେ ତେଘରି ଗାଁର ସୌରଜିତ ରାୟ ଅନଲାଇନରେ ଗେମ ଖେଳି ବିଫଳ ହେବା ପରେ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି । ସେ ଜୁପି ଲୁଡୋ ଖେଳି ୫ଲକ୍ଷ ରୁ ଅଧିକ ଟଙ୍କା ହରାଇଥିବା ଜଣାପଡିଛି ।
ଏତେ ପରିମାଣର ଟଙ୍କା ହରାଇବା ପରେ ସେ ଚିନ୍ତାଗ୍ରସ୍ତ ହୋଇ ପଡିଥିଲେ । ଏନେଇ ବହୁବାର ଜୀବନ ହାରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଆଜି ସକାଳୁ ଚିନ୍ତାଗ୍ରସ୍ତ ହୋଇ ଛୁରୀରେ ବାରମ୍ବାର ହାତ ଓ ବେକକୁ କାଟି ପକାଇଥିଲେ। ରକ୍ତାକ୍ତ ଅବସ୍ଥାରେ ଦେଖି ତାଙ୍କୁ ପରିବାର ଲୋକେ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।