ଆଜି ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ ପାଇଁ ରାତି ୨ଟାରୁ ଲାଗିଛି ଭକ୍ତଙ୍କ ଭିଡ଼

ଭୁବନେଶ୍ବର: ଆଜି ପବିତ୍ର ଅଁଳା ନବମୀ । ସାକ୍ଷୀଗୋପାଳରେ ଦୁର୍ଲଭ ରାଧାପାଦ ଦର୍ଶନ । ବର୍ଷକରେ ଥରେ ମା’ ରାଧାରାଣୀଙ୍କ ଶ୍ରୀପାଦ ଦର୍ଶନର ସୁଯୋଗ । ପୁରୀ ଜିଲ୍ଲା ସତ୍ୟବାଦୀର ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ଅନୁଷ୍ଠିତ ହେଉଛି ଦୁର୍ଲଭ ରାଧାପାଦ ଦର୍ଶନ। କାଣିଆଁ କଛା ମାରି ମଠା ବସ୍ତ୍ର ପରିଧାନ କରିଛନ୍ତି ମା’ ରାଧାରାଣି । ନଟବର ବେଶରେ ସଜେଇ ହୋଇଛନ୍ତି ଶ୍ରୀ କୃଷ୍ଣ। ବର୍ଷକରେ ଥରେ ମା’ ରାଧାରାଣୀଙ୍କ ଶ୍ରୀପାଦ ଦର୍ଶନ କରିବାର ସୁଯୋଗ ମିଳୁଥିବାରୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ଏଥିପାଇଁ ସାକ୍ଷୀଗୋପାଳରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ ।

ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ପାଳିତ ହୁଏ ଏହି ସ୍ୱତନ୍ତ୍ର ପରମ୍ପରା। ବର୍ଷସାରା ମା’ ରାଧାରାଣୀଙ୍କ ପାଦ ବସ୍ତ୍ରରେ ଆବୃତ ରହୁଥିବାବେଳେ କେବଳ ଅଁଳା ନବମୀ ଦିନ ଭକ୍ତମାନେ ଶ୍ରୀପାଦ ଦର୍ଶନ କରିଥାନ୍ତି। ଏହି ଦିନ ମା’ ରାଧାରାଣୀ ଓଡ଼ିଆଣୀ ବେଶରେ ଏବଂ ପ୍ରଭୁ ସାକ୍ଷୀଗୋପାଳ ନଟବର ବେଶରେ ଦର୍ଶନ ଦିଅନ୍ତି। ଶ୍ରୀପାଦ ଦର୍ଶନ କଲେ ପୁଣ୍ୟଲାଭ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ଅଁଳା ନବମୀ ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ନୀତି ଅନୁଯାୟୀ ରାତି ଗୋଟାଏରେ ଦ୍ୱାରଫିଟା ନୀତି ପରେ ରାତି ୨ଟାରୁ ସାହଣମେଲା ଦର୍ଶନ ଆରମ୍ଭ ହୋଇଛି।ଭୋର ୫ଟାରୁ ୬ଟା ପର୍ଯ୍ୟନ୍ତ ସେବାୟତ ଓ ମନ୍ଦିର କର୍ମଚାରୀଙ୍କ ପରିବାର ପାଇଁ ଦର୍ଶନ ବ୍ୟବସ୍ଥା ରହିଛି ।

ଅନ୍ୟପଟେ ସକାଳ ୬ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଓ ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୩ ପ୍ଲାଟୁନ୍ ପୋଲିସ ମୁତୟନ ସହ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ୍, ଟ୍ରାଫିକ୍ ପରିଚାଳନା ଓ ପାନୀୟ ଜଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ମନ୍ଦିର ଭିତରେ ମୋବାଇଲ୍ ଫୋନ୍ ଓ କ୍ୟାମେରା ବ୍ୟବହାର ଉପରେ କଟକଣା ରହିଛି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ସହଯୋଗ ଲୋଡ଼ାଯାଇଛି ।

Spread the love

Leave a Reply

Your email address will not be published. Required fields are marked *