ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା: ପର୍ଥରେ ପ୍ରଥମ ଲଢ଼େଇ
ପଦାର୍ପଣ କରିପାରନ୍ତି ଦୁଇ ଅଷ୍ଟ୍ରେଲୀୟ
୪ରୁ ଅଧିକ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ପାଇଁ ନବାଗତ ମ୍ୟାଟ୍ ରେନ୍ସ’ ଏବଂ ମିଚ୍ ଓଏନ୍ ରବିବାର ନିଜିନଜ ଦିନିକିଆ ଖେଳ ଜୀବନ ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିଭଳି ଜୋସ୍ ଫିଲିପ୍ସ ୨୦୨୧ ମସିହା ପରେ ସମ୍ଭବତଃ ନିଜ ପ୍ରଥମ ଦିନିକିଆ ଖେଳିବେ। ୱିକେଟ୍ରକ୍ଷକ ଭାବେ ମଧ୍ୟ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଏକଦିବସୀୟ ହେବ। କାମଚଳା ଅଧିନାୟକ ମିଚେଲ ମାର୍ସ ପେସ୍ ବାହିନୀ ଉପରେ ଜୋର ଦେଉଥିବାରୁ ଏକମାତ୍ର ସ୍ପିନର ଭାବେ ଆଡାମ ଜାମ୍ପାଙ୍କ ସ୍ଥାନ ମ୍ୟାଟ୍ କୁନ୍ମ୍ୟାନ୍ ନେଇ ପାରନ୍ତି। ଘରୋଇ ପରିବେଶରେ ମଧ୍ୟ ସେ ପ୍ରଥମ ମ୍ୟାଚ୍ ଖେଳିବେ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ:ଟ୍ରାଭିସ୍ ହେଡ୍, ମିଚେଲ ମାର୍ସ (ଅଧିନାୟକ), ମ୍ୟାଟ୍ ସର୍ଟ, ମ୍ୟାଟ୍ ରେନସ’, ଜୋସ୍ ଫିଲିପ୍ସ (ୱିକେଟ୍ ରକ୍ଷକ), ମିଚ୍ ଓଏନ, କୁପର କନୋଲି, ମିଚେଲ ଷ୍ଟାର୍କ, ନାଥନ ଏଲିଅସ୍, ମ୍ୟାଟ୍ କୁନେମ୍ୟାନ୍, ଜୋସ୍ ହାଜେଲଉଡ୍।
ଭାରତର ଶୀର୍ଷ ୬ ଅପରିବର୍ତ୍ତିତ
ଭାରତ ଶେଷ ଥର ଲାଗି ଗତ ମାର୍ଚ୍ଚ ମାସରେ ଚାମ୍ପିଅନ୍ସ ଟ୍ରଫି ଦିନିକିଆ କ୍ରିକେଟ୍ ଖେଳିଥିଲା। ଏହି ମ୍ୟାଚ୍ରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଖେଳିଥିବା ଭାରତର ଶୀର୍ଷ ୬ ବ୍ୟାଟର୍ ଅପରିବର୍ତ୍ତିତ ରହିବାର ଏକପ୍ରକାର ନିଶ୍ଚିତ। ରୋହିତ ଶର୍ମା ଓ ଶୁବମନ୍ ଗିଲ୍ ଓପନ୍ କରିବେ। କୋହଲି ତୃତୀୟ ଏବଂ ଶ୍ରେୟସ୍ ଆୟର ଚତୁର୍ଥରେ ବ୍ୟାଟିଂ କରିବେ। କେଏଲ୍ ରାହୁଲ ୱିକେଟ୍ ରକ୍ଷକ ଦାୟିତ୍ବରେ ରହିବେ। ୮ ନମ୍ବର ସ୍ଥାନକୁ ନେଇ ଅବଶ୍ୟ କିଛିଟା ଦ୍ବନ୍ଦ୍ବ ରହିଛି। ଜଣେ ଅତିରିକ୍ତ ବ୍ୟାଟର୍ଙ୍କୁ ଖେଳାଇବାକୁ ହେଲେ ଦଳକୁ ୱାସିଂଟନ୍ ସୁନ୍ଦର କିମ୍ବା ବିଶେଷଜ୍ଞ ସ୍ପିନର ଭାବେ କୁଲଦୀପ ଯାଦବଙ୍କ ଭିତରୁ ଜଣକୁ ଚୂଡ଼ାନ୍ତ ଦଳରେ ନେବାକୁ ହେବ। ସିରାଜ, ଅର୍ଶଦୀପ, ପ୍ରସିଦ୍ଧ ଓ ହର୍ଷିତଙ୍କ ଭିତରୁ ୩ଜଣ ଖେଳିବେ।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଶୁବମନ ଗିଲ୍ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ୍ ଆୟର, କେଏଲ୍ ରାହୁଲ (ୱିକେଟ୍ ରକ୍ଷକ), ଅକ୍ଷର ପଟେଲ, ନୀତୀଶ ରେଡ୍ଡୀ, ୱାସିଂଟନ୍ ସୁନ୍ଦର (କୁଲଦୀପ ଯାଦବ), ହର୍ଷିତ ରାଣା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା/ଅର୍ଶଦୀପ ସିଂହ।
ଅପ୍ଟସ୍ରେ ହୁଏନି ବଡ଼ ସ୍କୋର୍
ପର୍ଥର ଅପ୍ଟସ୍ ଷ୍ଟାଡିୟମ୍ରେ ଗତ ୬ ବର୍ଷ ମଧ୍ୟରେ ମାତ୍ର ତିନିଟି ମ୍ୟାଚ୍ ଖେଳାଯାଇଛି। ପାରମ୍ପରିକ ଭାବେ ଏଠାରେ ଛୋଟ ସ୍କୋର୍ ହିଁ ଦେଖିବାକୁ ମିଳିଥାଏ। ଅଷ୍ଟ୍ରେଲିଆ ଏଠାରେ ଖେଳିଥିବା ଗତ ଦୁଇଟି ମ୍ୟାଚ୍ରେ ମାତ୍ର ୧୫୨ ଓ ୧୪୦ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଏଠାକାର ଉଠା ପିଚ୍ରେ ସମସ୍ତଙ୍କ ପାଇଁ କିଛି ନା କିଛି ରହିଥାଏ। ଅର୍ଥାତ୍ ବୋଲର୍ ଭଲ ବୋଲିଂ କଲେ ୱିକେଟ୍ ପାଇବା ଏବଂ ବ୍ୟାଟର୍ ଗଭୀର ଏକାଗ୍ରତା ଦେଖାଇଲେ ଯାଇ ବଡ଼ ସ୍କୋର୍ କରିପାରନ୍ତି। ଗତ ଋତୁ ପରଠାରୁ ରବିବାର ଏଠାରେ ପ୍ରଥମ ମ୍ୟାଚ୍ ଖେଳାଯାଉଥିବାରୁ କିଛି ବି ହୋଇପାରେ। ଏଠାକାର ହାରାହରି ପ୍ରଥମ ପାଳି ସ୍କୋର୍ ହେଉଛି ୧୮୩। ସଫଳ ପଶ୍ଚାତ୍ଧାବନ ହେଉଛି ମାତ୍ର ୧୫୩।
ଚିନ୍ତା ବଢ଼ାଇପାରେ ମେଘୁଆ ପାଗ
ରବିବାର ପର୍ଥରେ ବର୍ଷା ହେବାର ପୂର୍ବାନୁମାନ ଥିବାରୁ ଏହା ସବୁକିଛି ବିଗାଡ଼ି ଦେବାର ମଧ୍ୟ ଆଶଙ୍କା ରହିଛି। ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ସ୍ଥାନୀୟ ସମୟ ଅପରାହ୍ଣ ୧୧ଟାରେ ବର୍ଷା ହୋଇପାରେ। ଯାହାର ସମ୍ଭାବନା ପରବର୍ତ୍ତୀ ସମୟରେ ୩୫ ପ୍ରତିଶତକୁ ବଢ଼ିବ। ଏଣୁ ମ୍ୟାଚ୍ ବାରମ୍ବାର ବର୍ଷା ଯୋଗୁଁ ବ୍ୟାଘାତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। କୋହଲା ପାଗର ପ୍ରଭାବ ଟସ୍କୁ ମଧ୍ୟ ପ୍ରଭାବିତ କରିପାରେ। ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିପାରନ୍ତି। ପର୍ଥର ବାଉନ୍ସ, କୋହଲା ପାଗ ତଥା ଅପ୍ଟସ୍ ପିଚ୍ରେ ଥିବା ଟର୍ଣ୍ଣରେ ପ୍ରଥମ ଏକ ଘଣ୍ଟା ଏଠାରେ ବ୍ୟାଟିଂ କରିବା ଆଦୌ ସହଜ ହେବନି।
ତିନିଟିଯାକ ମ୍ୟାଚ୍ ହାରିଛି ଅଷ୍ଟ୍ରେଲିଆ
ଅପ୍ଟସ୍ ଷ୍ଟାଡିୟମ୍ରେ ଖେଳିଥିବା ତିନିଟି ଯାକ ଦିନିକିଆରେ ଘରୋଇ ଅଷ୍ଟ୍ରେଲିଆ ପରାଜିତ ହୋଇଛି। ଏହି ପରିସଂଖ୍ୟାନ ଭାରତକୁ ଉତ୍ସାହିତ କରିପାରେ। ଚମତ୍କାର ଫର୍ମରେ ଥିବା ଅଷ୍ଟ୍ରେଲୀୟ ଓପନର୍ ଟ୍ରାଭିସ୍ ହେଡ୍ ଆଉ ୫୮ ରନ୍ କଲେ ୩,୦୦୦ ରନ୍ ପୂରଣ କରିବେ। ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିବା ହେଡ୍, ଭାରତ ବିପକ୍ଷରେ ସବୁବେଳେ ଭଲ ପ୍ରଦର୍ଶନ କରୁଥିଲା ବେଳେ ଏହି ଶୃଙ୍ଖଳାରେ ମଧ୍ୟ ଦୃଢ଼ ଆରମ୍ଭ ଲକ୍ଷ୍ୟରେ ରହିଛନ୍ତି। କୋହଲି ଓ ରୋହିତ ୯ ବର୍ଷ ପରେ ଜଣେ ଭିନ୍ନ ଅଧିନାୟକଙ୍କ ଅଧୀନରେ ଖେଳିବେ। ଯାହା ଉଭୟଙ୍କ ପାଇଁ ନୂଆ ଅନୁଭୂତି ନେଇ ଆସିବ।
