ଇରାନ ଯୁଦ୍ଧକୁ ଡେଇଁଲେ ହୁତି : ହର୍ମୁଜ୍ ପ୍ରଣାଳୀ ପରେ ବାବ୍ ଏଲ୍-ମାଣ୍ଡେବ ବନ୍ଦ ଆଶଙ୍କା ଘନେଇଲା

ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧର ପରିସର ବୃଦ୍ଧି ପାଉଥିବା ପରି ମନେ ହେଉଛି । ଇସ୍ରାଏଲୀ ସେନା ଶନିବାର ସକାଳେ ରିପୋର୍ଟ କରିଛି ଯେ ସେମାନେ ୟେମେନରୁ ନିକ୍ଷେପ କରାଯାଇଥିବା ଏକ କ୍ଷେପଣାସ୍ତ୍ର ଚିହ୍ନଟ କରିଛନ୍ତି । ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ ୟେମେନରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର । ୟେମେନର ହୁତି ବିଦ୍ରୋହୀମାନେ ଗାଜା ଯୁଦ୍ଧ ସମୟରେ ହମାସ ଓ ପାଲେଷ୍ଟାଇନ ସମର୍ଥନରେ ଇସ୍ରାଏଲୀ ଏବଂ ଆମେରିକୀୟ ଜାହାଜଗୁଡ଼ିକୁ ଲୋହିତସାଗରରେ ପ୍ରବେଶ କରିବାରୁ ରୋକୁଥିଲେ । ଇରାନ ସମର୍ଥିତ ହୁତି ବିଦ୍ରୋହୀ ଇରାନ ବିରୋଧ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ବୋଲି କହିବାର ଗୋଟିଏ ଦିନ ପରେ ଏହି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି । ତେବେ ହୁତିଙ୍କ ପକ୍ଷରୁ ଏନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରାଯାଇନାହିଁ । ରିପୋର୍ଟ ଅନୁଯାୟୀ ହୁତି ବିଦ୍ରୋହୀମାନେ ଡିମୋନାରେ ଇସ୍ରାଏଲୀ ପରମାଣୁ ସ୍ଥଳ ଉପରେ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛନ୍ତି ।

ଯୁଦ୍ଧରେ ହୁତି ବିଦ୍ରୋହୀଙ୍କ ସମ୍ପୃକ୍ତି ସମଗ୍ର ଅଞ୍ଚଳରେ ଏକ ବଡ଼ ସଂଘର୍ଷର ଆଶଙ୍କା ସୃଷ୍ଟି କରିଛି । ଏହି ଭୟ ଆହୁରି ତୀବ୍ର କାରଣ ହୁତି ବିଦ୍ରୋହୀମାନେ ୟେମେନର ସୀମା ବାହାରେ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବା ଏବଂ ଆରବ ସାଗର ତଥା ଲୋହିତ ସାଗର ଚାରିପାଖରେ ସମୁଦ୍ର ପଥରେ ବାଧା ସୃଷ୍ଟି ଦେବାକୁ ସକ୍ଷମ। ସେମାନେ ପୂର୍ବରୁ ଇସ୍ରାଏଲୀ ଆକ୍ରମଣ ପରେ ଗାଜାରେ ହମାସକୁ ସମର୍ଥନ କରି ଏପରି କରିସାରିଛନ୍ତି।

ଲେବାନନ୍ ଏବଂ ଇରାକରେ ଇରାନର ସିଆ ସହଯୋଗୀମାନେ ପୂର୍ବରୁ ଏହି ଆଞ୍ଚଳିକ ସଂଘର୍ଷରେ ଯୋଗ ଦେଇଛନ୍ତି । ଏବେ, ହୁତିଙ୍ ଯୋଗଦାନ ସହିତ ଜଳପଥ ବାବ୍ ଏଲ୍-ମାଣ୍ଡେବ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି । ବାବ୍ ଏଲ୍-ମାଣ୍ଡେବ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ। ଏହା ୟେମେନ୍ ଏବଂ ଆଫ୍ରିକାର ଜିବୁତି ମଧ୍ୟରେ ଅବସ୍ଥିତ। ଏହା ଲୋହିତ ସାଗରକୁ ଆଡେନ୍ ଉପସାଗର ଏବଂ ଭାରତ ମହାସାଗର ସହିତ ସଂଯୋଗ କରେ। ଏହା ସ୍ୱେଜ୍ କେନାଲକୁ ଯିବା ପାଇଁ ଏକମାତ୍ର ସମୁଦ୍ର ପଥ, ଏବଂ ବିଶ୍ୱ ସାମୁଦ୍ରିକ ବାଣିଜ୍ୟର ପ୍ରାୟ ୧୦-୧୫ ପ୍ରତିଶତ ଏହା ଦେଇ ଗତି କରେ। ଇରାନ ପୂର୍ବରୁ ହର୍ମୁଜ୍ ପ୍ରଣାଳୀ ଉପରେ ଅବରୋଧ ଲଗାଇସାରିଛି। ଯଦି ହୁତିମାନେ ଏହାକୁ ମଧ୍ୟ ବନ୍ଦ କରିଦିଅନ୍ତି, ତେବେ ଏକ ବଡ଼ ଆର୍ଥିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି ।।

Spread the love