ଓଡ଼ିଆ ନାବିକ ନିଖୋଜ ହେବାର ୭ ଦିନ ବିତିଗଲାଣି, ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ ପରିବାର ଲୋକଙ୍କ ଆବେଦନ
ଭଦ୍ରକ: ସମୟ ଗଡ଼ୁଛି, ସଂଦେହ ବଢ଼ୁଛି । ଜୀବନ୍ତ ଉଦ୍ଧାର ହେବେ ତ ଓଡ଼ିଆ ନାବିକ ସାର୍ଥକ ମହାପାତ୍ର । ଗତ ୩ ତାରିଖରୁ EA ଜେରସି ଭେସେଲରୁ ନିଖୋଜ ଭଦ୍ରକର ୨୨ ବର୍ଷୀୟ ନେଭି କ୍ୟାଡେଟ ସାର୍ଥକଙ୍କ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ । ମରିସସ୍ ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ର ଏବଂ ଭାରତର ଡିଜି ସିପିଂ ମିଳିତ ଭାବେ ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ। ନିଖୋଜ ହେବାର ୭ ଦିନ ବିତିଯାଇଥିବାରୁ ଏବେ ସାର୍ଥକଙ୍କୁ ଜୀବନ୍ତ ଉଦ୍ଧାର କରିବା ଆଶା କ୍ଷୀଣ ମନେହେଉଛି ।
ଗଭୀର ସମୁଦ୍ରରେ ନିଖୋଜ ହେବାର ପ୍ରଥମ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଉଦ୍ଧାର ହେବା ସହଜ ହୋଇଥାଏ । ଏବେ ୭ ଦିନରୁ ଅଧିକ ସମୟ ବିତିଯାଇଥିବାରୁ ସାର୍ଥକଙ୍କୁ ଜୀବନ୍ତ ପାଇବା ସମ୍ଭାବନା ୫% ରୁ ମଧ୍ୟ କମ୍ ବୋଲି ଆଶଙ୍କା କରାଯାଉଛି । ଜାହାଜ ଭିତରେ ଡଗ୍ ସ୍କ୍ବାଡ୍ ଏବଂ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ସର୍ଚ୍ଚ କରିବାକୁ ପରିବାରଲୋକ ଦାବି ଜଣାଇଛନ୍ତି । ଭାରତ ସରକାର ଏବଂ ବୈଦେଶିକ ମନ୍ତ୍ରଣାଳୟକୁ ଏହି ମାମଲାରେ ଶୀଘ୍ର ହସ୍ତକ୍ଷେପ କରି ସାର୍ଥକଙ୍କୁ ଖୋଜିବା କାର୍ଯ୍ୟକୁ ଆହୁରି ଜୋରଦାର କରିବାକୁ ଆକୁଳ ନିବେଦନ କରିଛନ୍ତି । ସାର୍ଥକଙ୍କ ସହ ଜାହାଜ ଭିତରେ କିଛି ଘଟିଥାଇ ପାରେ ବୋଲି ସଂଦେହ ପ୍ରକାଶ କରିଛନ୍ତି ।
