ଓଡ଼ିଶାରେ ନୂଆ କରି ଗଠନ ହୋଇଥିବା ପୌର ପରିଷଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ। ଓଡ଼ିଶାରେ ନୂତନ ଭାବେ ଗଠିତ ପୌର ପରିଷଦ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ। ନୂଆ ୨୮ ଏନଏସି ଓ ୭ ପୌରପାଳିକାରେ ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଚିଠି। ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲା ଗୃହ ଓ ନଗର ଉନ୍ନୟନ ବିଭାଗ। ସବୁ ସହରାଞ୍ଚଳରେ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

୨୦୨୫ ଶେଷ ଭାଗ ଏବଂ ୨୦୨୬ ଆରମ୍ଭରେ ଘୋଷଣା ହୋଇଥିବା ଏହି ନୂଆ ସହରାଞ୍ଚଳ ସଂସ୍ଥାଗୁଡ଼ିକରେ ଏପର୍ଯ୍ୟନ୍ତ ୱାର୍ଡ ଭାଗ ହୋଇନାହିଁ। ନିର୍ବାଚନ କମିଶନଙ୍କ ସହିତ ଆଲୋଚନା ପରେ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ଶେଷ କରିବାକୁ କହିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶ ଅନୁଯାୟୀ ଫେବୃଆରୀ ୧୨ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପାଇଁ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ ପାଇବ।

ଫେବୃଆରୀ ୨୧ ଆପତ୍ତି ବା ଅଭିଯୋଗ ଦାଖଲ କରିବାର ଶେଷ ତାରିଖ ରହିଛି। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଅଭିଯୋଗର ଶୁଣାଣି ପରେ ଜିଲ୍ଲାପାଳମାନଙ୍କ ଦ୍ୱାରା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ନୂଆ ଏନଏସି ଓ ପୌରପରିଷଦ ଗଠନ ହୋଇଥିବା ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି।

Spread the love