କଲ୍ କରିବା ପାଇଁ ପାହାଡ଼ ଉପରକୁ ଯାତ୍ରା; ମରମା ପଞ୍ଚାୟତର ୨୨ ଗାଁରେ ନାହିଁ ନେଟୱର୍କ

ଗୁଣୁପୁର: ନେଟୱର୍କ ପାଇଁ କିଏ ପାହାଡ଼ ଉପରକୁ ଯାଉଛି, ତ କିଏ ଗଛ ଉପରେ ଚଢ଼ୁଛି, ଆଉ କିଏ ୨ କିଲୋମିଟର ଦୂର ଚାଲି ଚାଲି ଯାଉଛି । ଏତେ କଷ୍ଟ ପରେ ମଧ୍ୟ ଓଡ଼ିଶାର ନେଟୱର୍କ ନୁହେଁ, ଆନ୍ଧ୍ରପ୍ରଦେଶର ଦୁର୍ବଳ ନେଟୱର୍କ ଉପରେ ନିର୍ଭର କରୁଛନ୍ତି ଲୋକେ । ଡିଜିଟାଲ ଭାରତର କଥା କୁହାଯାଉଛି, ହେଲେ ଆଜି ମଧ୍ୟ ଓଡ଼ିଶାର କେତେକ ଗାଁ ପାଇଁ ମୋବାଇଲ ନେଟୱର୍କ ଏକ ସ୍ବପ୍ନ ।  ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକର କେତେକ ପଞ୍ଚାୟତର ଲୋକେ କଲ୍ କରିବା ପାଇଁ ପାହାଡ଼ ଓ ଗଛ ଉପରକୁ ଚଢ଼ିବାକୁ ବାଧ୍ୟ ହୁଅନ୍ତି । ଗୁଣୁପୁର ବ୍ଲକର ମରମା ପଞ୍ଚାୟତ। ଏହି ପଞ୍ଚାୟତର ୨୨ଟି ଗାଁରେ ଏପର୍ଯ୍ୟନ୍ତ ମୋବାଇଲ ନେଟୱର୍କ ପହଞ୍ଚି ପାରିନି । ସୀମାନ୍ତ ଗଠଲପଦର ପଞ୍ଚାୟତରେ ମଧ୍ୟ ଅର୍ଦ୍ଧାଧିକ ଗାଁରେ ନେଟୱର୍କ ନାହିଁ ।

ମରମା ପଞ୍ଚାୟତର ୨୨ଟି ଗାଁ ମଧ୍ୟରୁ ୪ଟି ରାଜସ୍ୱ ଗ୍ରାମ ଓ ୧୮ଟି ଛୋଟ ଗାଁ ରହିଛି । ବାରମ୍ବାର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ମଧ୍ୟ ମିଳିନାହିଁ କୌଣସି ସମାଧାନ। ଡିଜିଟାଲ ଯୁଗରେ ଏହି ଅଞ୍ଚଳର ଲୋକଙ୍କ ପାଇଁ ଅନଲାଇନ୍ ସେବା ଯେପରି ପରିହାସ ଭଳି ।  ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ, ଚାଷୀଙ୍କ ଡିବିଟି ଯୋଜନା, ସୁଭଦ୍ରା ଯୋଜନାରେ ମହିଳାଙ୍କ ଆବେଦନ ଅଥବା ସ୍ୱୟଂସହାୟକ ଗୋଷ୍ଠୀର ଅନଲାଇନ୍ କାମ—ସବୁଠି ନେଟୱର୍କ ଅଭାବ ବଡ଼ ବାଧା ହୋଇଛି । ଅଞ୍ଚଳବାସୀଙ୍କ କହିବା ଅନୁସାରେ, ଦୁଇ ବର୍ଷ ପୂର୍ବେ ବିଏସଏନଏଲ ପକ୍ଷରୁ ଦୁଇଟି ମୋବାଇଲ ଟାୱାର ନିର୍ମାଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ, କେବଳ ଖୁଣ୍ଟ ଭଳି ଠିଆ ରହିଛି ।

ଏନେଇ କୋରାପୁଟର ସାଂସଦ ସପ୍ତଗିରି ଉଲ୍ଲାକା ସଂସଦରେ ପ୍ରଶ୍ନ ଉଠାଇଥିଲେ। ସଂସଦରେ ଦିଆଯାଇଥିବା ଉତ୍ତର ଅନୁଯାୟୀ, ରାୟଗଡା ଜିଲ୍ଲାରେ ୭୦୦ଟି ମୋବାଇଲ ଟାୱାର ସ୍ୱୀକୃତି ମିଳିଥିଲେ ମଧ୍ୟ ୫୪୦ଟି ମାତ୍ର ତିଆରି ହୋଇଛି । ବାକି ଟାୱାର ଗୁଡ଼ିକ ବିଭିନ୍ନ ଆଳ ଦେଖାଇ ଅଟକାଇ ରଖାଯାଇଥିବା ଉଲ୍ଲେଖ ରହିଛି । ସାଂସଦଙ୍କ ତଥ୍ୟ ଅନୁଯାୟୀ, ଜିଲ୍ଲାର ୧୪୯ଟି ଗାଁରେ ଏପର୍ଯ୍ୟନ୍ତ ମୋବାଇଲ ନେଟୱର୍କ ନାହିଁ । ଯେପର୍ଯ୍ୟନ୍ତ ୧୦୦ ପ୍ରତିଶତ ଗାଁକୁ ନେଟୱର୍କ ପହଞ୍ଚିବ ନାହିଁ, ସେପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ ବୋଲି ସେ କହିଛନ୍ତି।

ନେଟୱର୍କ ନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆପାତକାଳୀନ ସେବା ଭଳି ମୌଳିକ ସୁବିଧା ପ୍ରଭାବିତ ହୋଇଛି । ଡିଜିଟାଲ ଭାରତରେ ଏହି ଗାଁ ଗୁଡ଼ିକ କେବେ ପାଇବେ ନିଜର ନେଟୱର୍କ—ତାହା ଦେଖିବାକୁ ରହିଲା।

Spread the love