ଗର୍ଭାବସ୍ଥାରେ ସକାଳେ କଣ ଖାଇବେ? ଜାଣନ୍ତୁ ସଠିକ୍ ଡାଏଟ୍
ଗର୍ଭାବସ୍ଥା ପ୍ରତ୍ୟେକ ମହିଳାଙ୍କ ଜୀବନର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟରେ ମା’ଙ୍କ ସ୍ୱାସ୍ଥ୍ୟ ସହ ଗର୍ଭସ୍ଥ ଶିଶୁର ବିକାଶ ମଧ୍ୟ ସଠିକ୍ ପୋଷଣ ଉପରେ ନିର୍ଭର କରେ। ତେଣୁ ପ୍ରତିଦିନର ଖାଦ୍ୟରେ ପୋଷକତତ୍ତ୍ୱରେ ଭରପୂର ଖାଦ୍ୟ ସାମିଲ କରିବା ଅତ୍ୟନ୍ତ ଜରୁରୀ।
ଗର୍ଭାବସ୍ଥା ସମୟରେ ମହିଳାଙ୍କ ଖାଦ୍ୟରେ ପ୍ରଚୁର ପରିମାଣର ପ୍ରୋଟିନ୍,କ୍ୟାଲସିୟମ୍, ଆଇରନ୍ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ । ଆପଣ ସକାଳେ ଯାହା ଖାଆନ୍ତି ତାହା ସାରା ଦିନ ପାଇଁ ଶକ୍ତିର ଉତ୍ସ ହୋଇଥାଏ । ତେଣୁ, ସକାଳର ପ୍ରଥମ ଖାଦ୍ୟ ଭାବିଚିନ୍ତି ଖାଇବା ଉଚିତ । ତେବେ ସକାଳେ ଗର୍ଭବତୀ ମହିଳା କଣ ଖାଇବା ଉଚିତ ସେ ସମ୍ପର୍କରେ ଆସନ୍ତୁ ଜାଣିବା ।
ପାନମହୁରି ପାଣି ପିଅନ୍ତୁ: ଗର୍ଭବତୀ ମହିଳାମାନେ ସକାଳେ ଉଠିବା ପରେ ଉଷୁମ ପାଣିରେ ଲେମ୍ବୁ, ପାନମହୁରି କିମ୍ବା ଜିରା ମିଶାଇ ପିଇବା ଲାଭଦାୟକ ହୋଇପାରେ । ଏହା ପାଚନ କ୍ରିୟାକୁ ଭଲ ରଖେ ଏବଂ ଶରୀରରେ ଶକ୍ତି ବଜାୟ ରଖେ । ଏହା ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ମଧ୍ୟ ସାହାଯ୍ୟ କରେ ।
ଭିଜା ବାଦାମ ଖାଆନ୍ତୁ: ରାତିସାରା ପାଣିରେ ୫ଟି ବାଦାମ ଭିଜାଇ ରଖନ୍ତୁ ଏବଂ ସକାଳେ ପ୍ରଥମେ ଖାଆନ୍ତୁ । ଏହା କରିବା ଦ୍ୱାରା, ଆପଣ ସାରା ଦିନ ଶକ୍ତିର ଅଭାବ ଅନୁଭବ କରିବେ ନାହିଁ ଏବଂ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍ E ଏବଂ ଫ୍ୟାଟି ଏସିଡ୍ ପାଇପାରିବେ । ଏହା ଗର୍ଭରେ ଥିବା ଶିଶୁର ମସ୍ତିଷ୍କର ସଠିକ୍ ବିକାଶରେ ସାହାଯ୍ୟ କରେ ଏବଂ ଚର୍ମକୁ ମଧ୍ୟ ସୁସ୍ଥ ରଖେ ।
ହଳଦୀ କିମ୍ବା କେସର କ୍ଷୀର : ସକାଳେ ଉଠିବା ମାତ୍ରେ ଉଷୁମ କ୍ଷୀରରେ ଟିକେ କେସର କିମ୍ବା ହଳଦୀ ମିଶାଇ ନିୟମିତ ସେବନ କରନ୍ତୁ । ଆୟୁର୍ବେଦ ଅନୁସାରେ, କ୍ଷୀର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଏବଂ ପିଲାର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରେ ।
ତାଜା ଫଳ ଖାଆନ୍ତୁ : ଗର୍ଭାବସ୍ଥାରେ ମହିଳାମାନେ ତାଜା ଫଳ ଏବଂ ପନିପରିବା ଖାଇବା ଉଚିତ। ବିଶେଷକରି କଦଳୀ ଏବଂ ସେଓ, ଏଥିରେ ପର୍ଯ୍ୟାପ୍ତ ପରିମାଣର ଲୌହ ଏବଂ ଫାଇବର ଥାଏ ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । ଏହା କରିବା ଦ୍ଵାରା ଗର୍ଭରେ ବଢ଼ୁଥିବା ଶିଶୁର କୋଷଗୁଡ଼ିକର ବିକାଶରେ ସାହାଯ୍ୟ ହୁଏ । ଏଥି ସହ ଆପଣମାନେ ଯଦି ଏହି ଟପ୍ସକୁ ଫଲୋ କରନ୍ତି, ତେବେ ଆପଣଙ୍କର ଅନେକ ସମସ୍ୟା ସମାଧାନ ହେବାକୁ ଲାଗିବ । ବିଶେଷ କରି ଗର୍ଭବତୀ ମହିଳାମାନେ ଏହି ଖାଦ୍ୟ ଉପରେ ଅଧିକ ଫୋକସ କରନ୍ତୁ, ଯାହା ଆପଣ ଏବଂ ଆପଣଙ୍କ ପିଲା ପାଇଁ ବେସ୍ ଲାଭଦାୟକ ହୋଇପାରିବ ।
