ଗ୍ରୀନଲ୍ୟାଣ୍ଡକୁ ନେଇ ଟ୍ରମ୍ପ୍ଙ୍କ ବିରୋଧରେ କାନାଡାର ବିଦ୍ରୋହ
ଓଟୱା: ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଆକ୍ରମଣାତ୍ମକ ମନ୍ତବ୍ୟ ପରେ, ଆଉ ଜଣେ ଆମେରିକା ସହଯୋଗୀ ଏହି ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଘୋଷଣା କରିଛି। ଡେନମାର୍କକୁ ସମର୍ଥନ କରି କାନାଡା ଆମେରିକା ବିରୋଧରେ ନିଜର ସ୍ଥିତି ସ୍ପଷ୍ଟ କରିଛି। କାନାଡାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ ଗ୍ରୀନଲ୍ୟାଣ୍ଡର ରାଜଧାନୀ ନୁଉକ ଗସ୍ତ କରିବା ପାଇଁ ଏବଂ ସେଠାରେ ଏକ କାନାଡା କନସୁଲେଟ୍ ଖୋଲିବା ଘୋଷଣା କରିଛନ୍ତି। ଅନିତା ଆନନ୍ଦଙ୍କ ଗସ୍ତକୁ ଟ୍ରମ୍ପ୍ଙ୍କ ଗ୍ରୀନଲ୍ୟାଣ୍ଡ ଉପରେ ନିୟନ୍ତ୍ରଣ ଦାବିର ସିଧାସଳଖ ପ୍ରତିରୋଧ ଭାବରେ ଦେଖାଯାଉଛି। ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି. ସେ ଆଗାମୀ ସପ୍ତାହ ମଧ୍ୟରେ ନୁଉକ ଗସ୍ତ କରିବେ ଏବଂ ସେଠାରେ ଏକ କାନାଡିଆନ୍ କନସୁଲେଟ୍ ଖୋଲିବେ। ସେ କହିଛନ୍ତି, ଏହି ପଦକ୍ଷେପ ଡେନମାର୍କର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସମର୍ଥନର ଏକ ଦୃଢ଼ ସଙ୍କେତ। ସେ କହିଛନ୍ତି, କାନାଡା ଗ୍ରୀନଲ୍ୟାଣ୍ଡ ଏବଂ ଡେନମାର୍କ ସହିତ ନିଜର ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚାହୁଁଛି।
ଭେନେଜୁଏଲା ଉପରେ କାର୍ଯ୍ୟାନୁଷ୍ଠାନ ପରେ ବିବାଦ ବଢ଼ିଲା
ଭେନେଜୁଏଲାରେ ଆମେରିକାର ପୂର୍ବ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ପରବର୍ତ୍ତୀ ମନ୍ତବ୍ୟ ଅନେକ ଦେଶକୁ ଚିନ୍ତିତ କରିଛି। ଗ୍ରୀନଲ୍ୟାଣ୍ଡ ଉପରେ ଟ୍ରମ୍ପ୍ଙ୍କ ଆଭିମୁଖ୍ୟ ନାଟୋ ଭିତରେ ମଧ୍ୟ ଚିନ୍ତା ସୃଷ୍ଟି କରିଛି। କାରଣ ଆମେରିକା, ଡେନମାର୍କ ଏବଂ କାନାଡା ସମସ୍ତେ ନାଟୋ ସଦସ୍ୟ। ଯଦି ଆମେରିକା ଗ୍ରୀନଲ୍ୟାଣ୍ଡ ବିରୋଧରେ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଏହା ନାଟୋ ଏକତା ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି କୁହାଯାଉଛି।
କାନାଡା ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
କାନାଡା ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଉଛି। ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ, ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଛନ୍ତି, କାନାଡା ଏବଂ ଡେନମାର୍କ କେବଳ ସହଯୋଗୀ ରାଷ୍ଟ୍ର ନୁହନ୍ତି ବରଂ ଆର୍କଟିକର ସୁରକ୍ଷା ପାଇଁ ମଧ୍ୟ ଏକ ମିଳିତ ଦାୟିତ୍ୱ ବାଣ୍ଟିଛନ୍ତି। କାର୍ନି ସ୍ପଷ୍ଟ କରିଛନ୍ତି, କାନାଡା ସବୁବେଳେ ଗ୍ରୀନଲ୍ୟାଣ୍ଡ ସମେତ ଡେନମାର୍କର ସାର୍ବଭୌମତ୍ୱକୁ ସମର୍ଥନ କରିବ। ମାର୍କ କାର୍ନି କହିଛନ୍ତି, ୟୁରୋପ ଏବଂ ୟୁକ୍ରେନରେ ଶାନ୍ତି ବଜାୟ ରଖିବା ପାଇଁ ଦୁଇ ଦେଶ ଏକାଠି କାମ କରିବେ।
ଏହାକୁ ନେଇ କୂଟନୈତିକ ମତପୋଷଣ କରିଛନ୍ତି,ସାମଗ୍ରିକ ଭାବରେ, କାନାଡା କେବଳ ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକାର ସମ୍ଭାବ୍ୟ ଦାବିକୁ ଚ୍ୟାଲେଞ୍ଜ କରିନାହିଁ ବରଂ ଆର୍କଟିକ୍ ଅଞ୍ଚଳରେ ଏହାର ରଣନୈତିକ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସକ୍ରିୟ ପଦକ୍ଷେପ ନେବା ଆରମ୍ଭ କରିଛି।
