ଚଳିତ ବର୍ଷ ରଥ ଚାରମାଳର ଲମ୍ବା ୨ ଫୁଟ ହେବ ଅଧିକ ବୃଦ୍ଧି : ଶ୍ରୀମନ୍ଦିର ପ୍ରଶାସନ
ପୁରୀ : ଚଳିତ ବର୍ଷ ରଥର ଚାରମାଳର ଲମ୍ବା ବୃଦ୍ଧି କରାଯିବ । ଗତବର୍ଷ ଆଡ଼ପ ପହଣ୍ଡି ସମୟର ତାଳଧ୍ଵଜ ରଥରୁ ପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣାରେ ଗଠିତ ୩ ଜଣିଆ ତଦନ୍ତ କମିଟିର ସୁପାରିଶ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଏବର୍ଷ ରଥର ଚାରମାଳର ଲମ୍ବା ବୃଦ୍ଧି କରାଯିବ । ନିୟମ ଅନୁଯାୟୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚାରମାଳର ଲମ୍ବା ୨୫ ଫୁଟ ,ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଚାରମାଳର ଲମ୍ବା ୨୪ ଫୁଟ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚାରମାଳର ଲମ୍ବା ୨୩ ଫୁଟ ରହିଥାଏ ।
ଏ ବର୍ଷ ଏହାକୁ ଆଉ ୨ ଫୁଟ ବୃଦ୍ଧି କରି ସ୍ଲୋପ କରିବା ପାଇଁ ଚିନ୍ତା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଇଞ୍ଜିନିୟରିଂ ଟିମ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ବୈଷୟିକ ପରାମର୍ଶ ଅନୁଯାୟୀ ଏହି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଆଜି ସନ୍ଧ୍ୟାରେ ସେ ଏନେଇ ଭୋଇ ସେବକଙ୍କ ସହ ଆଲୋଚନା କରିଛନ୍ତି।ଚାରମାଳ ପାଇଁ ଆବଶ୍ୟକ ତାଳ ଗଛ କାଠ ଢେଙ୍କାନାଳର ଜଣେ ଦାତା ଦାନ ସୂତ୍ରରେ ଯୋଗାଉଛନ୍ତି ।
ସେହିପରି ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ମନ୍ଦିର ରଥ ରହିବା ସ୍ଥାନରେ ଆକର୍ଷଣୀୟ ଝୋଟି ,ଚିତା କରାଯିବ । ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏଁ ସୁନ୍ଦର ଝୋଟି ,ଚିତା କରାଯାଉଛି । ଜାତୀୟ ରାଜପଥ ବିଭାଗର କାର୍ଯ୍ୟ ପରେ ରଥଯାତ୍ରା ପର ଦିନ ଅବଶିଷ୍ଟ ଝୋଟି ,ଚିତା କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟ ଯାଏଁ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ଆଜି ଅନ୍ୟ ଅଧିକାରୀଙ୍କ ଝୋଟି ,ଚିତା କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ।