ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସବୁକିଛି ବିକ୍ରି କରି ନିସ୍ବ ହୋଇଗଲେଣି ପରିବାର
କେନ୍ଦ୍ରାପଡା: ଜୀବନର ଗତିପଥ ବଦଳାଇ ଦେଲା ଦୁରାରୋଗ କ୍ୟାନ୍ସର । ଯିଏ ରୋଜଗାର କରି ନିଜ ପରିବାର ମୁହଁରେ ଆହାର ଦେଉଥିଲା । ସେ ଏବେ ବିଛଣାରେ ପଡିରହି କ୍ୟାନ୍ସର ସହ ସଙ୍ଘର୍ଷ କରୁଛନ୍ତି । ଆଉ ସ୍ବାମୀଙ୍କର ଏଭଳି ଅବସ୍ଥା ଦେଖି ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ବୈଦିମାଳ ଗ୍ରାମର ମନୋଜ କୁମାର ଦାସଙ୍କ କଥା।
୩୭ ବର୍ଷ ବୟସରେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ମନୋଜଙ୍କ ଚିକିତ୍ସା ପାଇଁ ପରିବାର ଲୋକ ସଞ୍ଚିତ ଅର୍ଥ, ଘରର ମୂଲ୍ୟବାନ ସାମଗ୍ରୀ ସବୁବିକ୍ରି କରି ସର୍ବସ୍ୱାନ୍ତ ହୋଇସାରିଲେଣି । ବର୍ତ୍ତମାନ ଆର୍ଥିକ ଅନଟନରେ ପରିବାର ଦିନ କାଟୁଥିବା ବେଳେ ମନୋଜଙ୍କ ଚିକିତ୍ସା ପାଇଁ ଏବେ ଅର୍ଥ ବାଧକ ସାଜିଛି।
ମନୋଜ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ସେ ତାମିଲନାଡ଼ୁରେ ପାଣି ପାଇପ୍ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ୫ମାସ ତଳେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଥିଲା । ତାମିଲନାଡୁରୁ କାମ ଛାଡ଼ି ସେ ବର୍ତ୍ତମାନ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମନୋଜଙ୍କ ଚିକିତ୍ସାରେ ଅପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ ହେବା ପରେ ପରିବାର ଚଳିବା କଷ୍ଟକର ବ୍ୟାପାର ହୋଇପଡ଼ିଛି । ଫଳରେ ମନୋଜଙ୍କ ପତ୍ନୀ ଓ ଦୁଇ ଛୋଟଛୋଟ ଯାଆଁଳା ପୁଅ ଏବେ ଅସହାୟ ହୋଇପଡ଼ିଛନ୍ତି ।
