ଟ୍ରେନ୍ ପାଇଖାନା କଡ଼ରେ ବସିଲେ ଓଡ଼ିଶା ଖେଳାଳି
ଭୁବନେଶ୍ୱର : ଟ୍ରେନ୍ ପାଇଖାନା କଡ଼ରେ ବସି ଯାତ୍ରା କଲେ ଓଡ଼ିଶାର ଜାତୀୟ କୁସ୍ତି ଯୋଦ୍ଧା । ଉତ୍ତର ପ୍ରଦେଶରେ ଅନୁଷ୍ଠିତ ୬୯ତମ ଜାତୀୟ ବିଦ୍ୟାଳୟ କୁସ୍ତି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶାର ୧୮ ଜଣ ଖେଳାଳି ଯାଇଥିଲେ । ସେମାନେ ଟ୍ରେନ୍ ର ଜେନେରାଲ ବଗିର ପାଇଖାନା କଡ଼ରେ ବସି ଯାତ୍ରା କରିଥିବା ଅଭିଯୋଗ ହୋଇଛି । ୧୮ ଜଣ ଖେଳାଳିଙ୍କ ମଧ୍ୟରେ ୧୦ ଜଣ ପୁଅ ଏବଂ ୮ ଜଣ ଝିଅ ଥିବା ଜଣାପଡିଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଟିମ୍ ସହ ୪ ଜଣ ଶିକ୍ଷକଙ୍କୁ ପଠାଯାଇଥିଲା । ଯିବା ସମୟରେ ମାତ୍ର ୪ ଜଣଙ୍କର ଟିକେଟ୍ କନଫର୍ମ ଥିବା ବେଳେ ବାକି ସମସ୍ତେ ପ୍ରବଳ ଶୀତରେ ବଗି ମଝିରେ ବସିଥିଲେ । ଫେରିବା ସମୟରେ ମଧ୍ୟ ସମାନ ଅବସ୍ଥା ହୋଇଥିଲା ।
ଏହାର ଭିଡିଓ ମଧ୍ୟ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିରୋଧୀ ଦଳ ଏହାକୁ “ରାଜ୍ୟ ପାଇଁ ଅପମାନ” ବୋଲି କହିବା ସହ ଖେଳାଳିଙ୍କ ସମ୍ମାନ ଓ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ରାଜ୍ୟରେ କ୍ରୀଡ଼ା ପ୍ରୋତ୍ସାହନ କଥା କୁହାଯାଉଥିବା ବେଳେ ଜାତୀୟ ସ୍ତରର ଖେଳାଳିଙ୍କ ପ୍ରତି ଏପରି ଅବହେଳା ସମସ୍ତଙ୍କୁ ମର୍ମାହତ କରିଛି ।
