ଠକାମିର ଶିକାର ହେବା ପରେ ସହି ପାରିଲେନି ଦୁଃଖ, ଶେଷରେ ହୋଇଗଲେ ଅଘୋରୀ ବାବା

ଭୁବନେଶ୍ବର: ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖଣ୍ଡଗିରି କୁମ୍ଭ ମେଳାରେ ଖଚାଖଚ ଭିଡ଼ । ଲୋକ ମାଳ ମାଳ, ନଜର ଯୁଆଡେ ଯାଉଥିଲା ସେଇଠି କିଛି ଲୋକ ଯାଉଥାନ୍ତି କ କିଛି ଆସୁଥାନ୍ତି । ଅନେକ ସାଧୁସନ୍ଥ ଖଣ୍ଡଗିରି ପାଦଦେଶରେ ନିଜ ନିଜ ଆସ୍ଥାନ ଜମେଇ ବସିଥାନ୍ତି । ଶ୍ରଦ୍ଧାଳୁମାନେ ଧାଡିରେ ହେଉ କିମ୍ବା ବେଧାଡ଼ିରେ ଲମ୍ବା ଲାଇନ ଲଗାଇଥାନ୍ତି ବାବାଜୀ ସାଧୁ ସନ୍ଥଙ୍କ ଦର୍ଶନ ପାଇଁ । ଏହାରି ଭିତରେ ଆମେ ଥାଉ ଖବର ଅନ୍ୱେଷଣରେ । କେତେ ଜଣ ବାବାଜୀ ମାତାଜୀ ଶ୍ରଦ୍ଧାଳୁମାନଙ୍କୁ ଆଶୀର୍ବାଦ ଦେଉଥାନ୍ତି । ଠିକ ଏହି ସମୟରେ ଜଣେ ସାଧୁଙ୍କ ଉପରେ ଆମ ନଜର ପଡିଲା । ଲମ୍ବା ଦାଢ଼ି ସାଙ୍ଗକୁ ଦେହରେ ଭସ୍ମ ଲେପନ କରି ଗଳାରେ ରୁଦ୍ରାକ୍ଷ୍ୟ ଧାରଣ କରିଥାନ୍ତି ସାଧୁ ଜଣଙ୍କ । ମୁଣ୍ଡରେ ପଗଡି ଆଉ ଦାଢ଼ି ସବୁ ଝୋଟ ହୋଇଯାଇଥାଏ । ହାତରେ ମୟୁରପୁଛ ଧରି ଲୋକଙ୍କ ମୁଣ୍ଡରେ ଛୁଆଇଁ ଦେଉଥାନ୍ତି । ଆମେ ସେହି ବାବାଙ୍କ ନିକଟରେ ପହଁଚିଲୁ ତାଙ୍କ ବିଷୟରେ ଟିକେ ଅଧିକ ଜାଣିବା ପାଇଁ । ଆମକୁ ଦେଖି ତାଙ୍କର ଆଖିରୁ ଲୁହ ଝରି ଆସିଲା । ଲାଗୁଥିଲା ସେ ଲୁହ ଆଜିର ନୁହେଁ ଅନେକ ଦିନ ତଳ ଯନ୍ତ୍ରଣାର । ମନର କୋହ ଭାଙ୍ଗି ଆଖି ଲୁହ ହୋଇ ବହି ଆସୁଥିଲା ସାଧୁଙ୍କ ଦୁଃଖ । ସାଧୁଙ୍କୁ ଦେଖିଲେ ଲାଗୁଥିଲା ସେ ଲୁହ ଯେମିତି ଆମକୁ କିଛି ସୂଚନା ଦେବାକୁ ଇସାରା କରୁଛି । ସାଧୁଙ୍କୁ ପଚାରିଲୁ କଣ ଘଟଣା ଆପଣଙ୍କ ଆଖିରେ ଏ ଲୁହ କାହିଁକି? ଉତ୍ତରରେ ସେ ଯାହା କହିଲେ ଆପଣ ଶୁଣିଲେ ଆପଣଙ୍କ ଆଖିରୁ ବି ଲୁହ ଆସିଯିବ ।

ସାଧୁଙ୍କ ନାମ ହେଉଛି ବମ ବମ ପୁରୀ ବାନା ବାବା । ଘର ପୁରୀ ଜିଲ୍ଲା କାକଟପୁର ନୂଆହାଟ । ଆଜକୁ ଦୀର୍ଘ ବର୍ଷ ହେଲା ଅଘୋରୀ ଭାବରେ ନିଜକୁ ରୂପଦେଇ ସାଧୁ ବେଶରେ ଅଛନ୍ତି । ହେଲେ ଆଜି ଏହି କୁମ୍ଭ ମେଳାରେ ଦେଖା ହେବା ପରେ ତାଙ୍କର ଏହି ସାଧୁ ବେଶ ଧାରଣ ପଛରେ ଥିବା ଦୁଃଖ କାହାଣୀ ସାମ୍ନାକୁ ଆସିଥିଲା । ପୁଅ ଝିଅର ସଂସାର ନେଇ କାକଟପୁରରୁ ଭୁବନେଶ୍ୱର ଆସି ପେଟ ପାଇଁ ପର ପାଖରେ ମୁଲ ଲାଗି ପରିବାର ଚଳାଉଥିଲେ । କିନ୍ତୁ ଦିନେ ଯେ ତାଙ୍କୁ ଅଘୋରୀ ସାଧୁ ହୋଇ ଲୁଚି ଲୁଚି ଏଠି ସେଠି ବୁଲିବାକୁ ପଡିବ ସେ କେବେ ବି ଭାବି ନଥିଲେ ।

ସେ ଯେତେବେଳେ ଭୁବନେଶ୍ୱରରେ ଆସି ମୁଲ ଲାଗି ପେଟ ପୋଷୁଥିଲେ ସେତେବେଳେ ଠକେଇର ଶିକାର ହୋଇଥିଲେ । ଏକ ଘରୋଇ ଫାଇନାନ୍ସ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଥିଲେ ଏହି ସାଧୁ ଜଣଙ୍କ । ଏଭଳି କୁଆଡେ ବିଭିନ୍ନ ପ୍ରକାର ଠକାମୀରେ ପଡ଼ି ଶେଷରେ ନିଜକୁ ବଞ୍ଚାଇବାକୁ ଯାଇ ଏହି ସାଧୁ ରୂପ ଧାରଣ କରି, ଏଭଳି ଅବସ୍ଥାରେ ରହିଛନ୍ତି । ସାଧୁ ଜଣଙ୍କ କେତେ ସତ କହିଛନ୍ତି ତାହା ସେ ହିଁ ଜାଣନ୍ତି । ଯଦି ସତ କହୁଛନ୍ତି ତେବେ ଘଟଣା ବହୁତ ସାଙ୍ଘାତିକ । ଯଦି ମିଛ କହୁଥାନ୍ତି ତେଵେ ତଦନ୍ତର ଆବଶ୍ୟକତା ରହିଛି । ଆଜି ଏହି ବ୍ୟକ୍ତିଙ୍କୁ ଘର ଲୋକ ଗ୍ରହଣ କରି ପାରୁନାହାନ୍ତି । କାହିଁକି ନା ତାଙ୍କ ମୁଣ୍ଡରେ ଚାରି କୋଟି ଟଙ୍କାର ଋଣ ଭାର । ସେହି ବୋଝ ମୁଣ୍ଡେଇ ଆଜି ଅଘୋରୀ । ଘଟଣା କେତେ ସତ ତାହା ତଦନ୍ତ ସାପେକ୍ଷ ।

Spread the love