ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ CRS ଲିଡରସିପ୍ ପୁରସ୍କାର

କୋଲକାତା : ଶିକ୍ଷାବିତ, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ CRS ଲିଡରସିପ୍ ପୁରସ୍କାର ପ୍ରଦାନ କରାଯାଇଛି । ଚିରନ୍ତନ ରସାୟନ ସଂସ୍ଥା ପକ୍ଷରୁ ଆଜି ପଶ୍ଚିମବଙ୍ଗ ବିଦ୍ୟାସାଗର ବିଶ୍ୱବିଦ୍ୟାଳୟ ପରିସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଡ. ସାମନ୍ତଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧି ପ୍ରଫେସର ରୋଜାଲିନ ସାହୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଶିକ୍ଷା, ବିଜ୍ଞାନ, ଗବେଷଣା ଏବଂ ସାମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଡ. ସାମନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । CRS ଲିଡରସିପ୍ ପୁରସ୍କାର ପାଇଁ ଡ. ସାମନ୍ତ CRSକୁ ଧନ୍ୟବାଦ ଜଣାଇବା ସହ ଚିରନ୍ତନ ରସାୟନ ସଂସ୍ଥାର ସଭାପତି ପ୍ରଫେସର ବ୍ରଜ ଗୋପାଳ ବାଗ୍ ଓ ସମ୍ପାଦକ ପ୍ରଫେସର ସି. ଭି. ୟେଲାମାଗଡଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ବୈଜ୍ଞାନିକ ମନୋଭାବ, ଶିକ୍ଷା ଓ ଛାତ୍ର କଲ୍ୟାଣ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ଦିଗରେ ଡ. ସାମନ୍ତ ଦୀର୍ଘ ୩୩ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ନିଜ ପ୍ରତିକ୍ରିୟାରେ ଡ. ସାମନ୍ତ କହିଛନ୍ତି ଶିକ୍ଷା ହେଉଛି ସାମାଜିକ ବିକାଶ ପାଇଁ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । ଯେତେବେଳେ ଶିକ୍ଷାକୁ ମୂଲ୍ୟବୋଧ, ସହାନୁଭୂତି ଓ ବୈଜ୍ଞାନିକ ଚିନ୍ତାଧାରା ସହିତ ଯୋଡାଯାଏ, ଏହା କେବଳ ବ୍ୟକ୍ତି ନୁହେଁ, ବରଂ ସମଗ୍ର ସମ୍ପ୍ରଦାୟ ଏବଂ ରାଷ୍ଟ୍ରର ବିକାଶ କରିବାର ଶକ୍ତି ରଖେ ।

Spread the love