ନବୀନଙ୍କ ନିଷ୍ପତ୍ତିକୁ ଫୁ’ କରି ଉଡାଇଦେଲେ ଯାଜପୁରିଆ ନେତା; ପ୍ରମିଳାଙ୍କ ବାସଭବନରେ ବସିଲା ପ୍ରଭାବଶାଳୀଙ୍କ ବୈଠକ

ନବୀନ ନିର୍ଦ୍ଦେଶ ଦେଇଥିଲେ, ଯାଜପୁର ବିଜେଡି ନେତା ଖାତିର କଲେନି । ଶଙ୍ଖ ଭବନ ଛାଡ଼ି ପ୍ରମିଳା ମଲ୍ଲିକଙ୍କ ଘରେ କରିଛନ୍ତି କବାଟକିଳା ବୈଠକ । ଜିଲ୍ଲା ସଂଗଠନକୁ ସୁଦୃଢ଼ କରିବା ଆଲୋଚନା ଆଳରେ ବିଜେଡିରେ ନୂଆ କ୍ଷମତା କେନ୍ଦ୍ର ସୃଷ୍ଟି କରିବାକୁ ଉଦ୍ୟମ ହେଉଥିବା ଚର୍ଚ୍ଚା ।ଶଙ୍ଖ ଭବନରୁ ପ୍ରମିଳାଙ୍କ ସରକାରୀ ବାସଭବନର ଦୂରତା ୫୦୦ ମିଟରରୁ ଅଧିକ ହେବନି । ହେଲେ ଶଙ୍ଖ ଭବନ ଛାଡି ପ୍ରମିଳାଙ୍କ ବାସଭବନରେ ଯାଜପୁରିଆ ନେତା ମେଳି କରିବା ବିଜେଡି ସଭାପତି ନବୀନଙ୍କ ନିଷ୍ପତ୍ତିର ଧଜିଆ ଉଡ଼ାଇଛି । ହୋଟେଲ କି ଅନ୍ୟ ସ୍ଥାନରେ ବୈଠକ ନ କରିବାକୁ ସିନିଅରଙ୍କୁ ମନା କରି ଶଙ୍ଖ ଭବନର ଦ୍ୱାର ଖୋଲିଥିଲେ ନବୀନ । ହେଲେ ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଫୁ କରି ଉଡ଼ାଇ ଦେଇଛନ୍ତି ପ୍ରମିଳା-ପ୍ରଣବଙ୍କ ଭଳି କାର୍ପଟଦାର ନେତା । ପ୍ରଶ୍ନ ଉଠୁଛି, ହଠାତ୍ ମେଳିର ଆବଶ୍ୟକତା କାହିଁକି ପଡ଼ିଲା ? ସଂଗଠନକୁ ନେଇ ଆଲୋଚନା ଶଙ୍ଖ ଭବନରେ ହୋଇପାରିନଥାନ୍ତା କି ? ନବୀନଙ୍କ ନିଷ୍ପତ୍ତିକୁ ନ ମାନି ଦଳୀୟ ଶୃଙ୍ଖଳା ଭାଙ୍ଗିନାହାନ୍ତି କି ଯାଜପୁର ବିଜେଡି ନେତା ?
ନିର୍ବାଚନ ପରେ ଅନ୍ତଃକନ୍ଦଳରେ ଘାଣ୍ଟି ହେଉଛି ବିଜେଡି । ଯାହାର ଝଲକ କୋରେଇରେ ବବି ଦେଇଥିବା ବୟାନରୁ ସ୍ପଷ୍ଟ ବାରି ହେଉଛି । ଦଳୀୟ ନେତାଙ୍କ ଭିତରେ ଅବିଶ୍ୱାସର ବାତାବରଣ ଥିବାର ସଂକେତ ଦେଇଛନ୍ତି ବବି । ସିଧା କହିଛନ୍ତି, ପରସ୍ପର ପ୍ରତି ରହିଛି ବିଦ୍ୱେଷ । ଅନ୍ୟପଟେ ଡାନି କହିଛନ୍ତି, ଜିଲ୍ଲାରେ ବିଜେଡି ଏକ ଅଛି । କିନ୍ତୁ କୋରେଇକୁ ନେଇ ବବି-ଡାନିଙ୍କ ଭିତରେ ଦୀର୍ଘଦିନ ହେବ ଚାଲିଥିବା ଶୀତଳଯୁଦ୍ଧର ଏ ଆଭାସ ବୋଲି ଚର୍ଚ୍ଚା ହେଉଛି ।

Spread the love