ନିଜକୁ ଆଇଏଏସ ଅଫିସର୍ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ସାଇବର୍ ଫ୍ରଡ, ଅଭିଯୁକୁ ଗିରଫ
ପୁରୀ : ନିଜକୁ ଆଇଏଏସ ଅଫିସର୍ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ସାଇବର୍ ଫ୍ରଡ । ଅଭିଯୁକ୍ତ, ଅନୁଗୁଳର ବଳଭଦ୍ର ମିଶ୍ରକୁ ବାନ୍ଧିଲା ପୁରୀ ସାଇବର୍ ପୋଲିସ୍ । ପ୍ରଥମେ ମାଟ୍ରିମୋନୀ ସାଇଟ୍ ରୁ ଯୋଗାଯୋଗ,ପରେ ନିଜକୁ ଆଇ ଏ ଏସ ଅଫିସର୍ ପରିଚୟ ଦେଇ ବଦଳି କରିଦେବାକୁ ଦଉଥିଲେ ଧମକ । ଯୁବତୀଙ୍କ ନାଁରେ ମ୍ୟୁଲ ଆକାଉଣ୍ଟ କରାଇ କରିଥିଲେ ସାଢ଼େ 6 ଲକ୍ଷ ଟଙ୍କାର ଋଣ ।
ଅଭିଯୁକୁ ବଳଭଦ୍ର ମିଶ୍ର (44)କୁ ଗିରଫ କରାଯିବା ସହ ଟୟୋଟା କାର,10ହଜାର ଟଙ୍କା ଓ 14 ପାସ୍ ବୁକ୍ ,9 ଚେକ୍ ବୁକ୍ ଓ 17 ଟି ଡେବିଟ କ୍ରେଡିଟ କାର୍ଡ ଜବତ କରିଛି ପୁରୀ ସାଇବର୍ ପୋଲିସ୍ । ଅଭିଯୁକ୍ତ ନାଁରେ ପୂର୍ବରୁ ସମ୍ବଲପୁରରେ ଓ ଭୁବନେଶ୍ୱରର ଦୁଇ ଥାନାରେ ରହିଛି ସାଇବର୍ ଫ୍ରଡ ର ସଙ୍ଗୀନ ଅଭିଯୋଗ ।
ଅଭିଯୋଗକାରିଣୀ ସାଇବର ଥାନାରେ ଅଭିଯୋଗ କରିଥିଲେ, ଯେ ‘ଭାରତ ମାଟ୍ରିମୋନି’ ଆପ୍ ମାଧ୍ୟମରେ ବଳଭଦ୍ର ପ୍ରସାଦ ମିଶ୍ର ନାମକ ଜଣେ ବ୍ୟକ୍ତି ତାଙ୍କ ସହ ଯୋଗାଯୋଗ କରିଥିଲେ। ସେ ନିଜକୁ ଛତିଶଗଡ଼ର ଜଣେ ଅତିରିକ୍ତ ସଚିବ ବୋଲି ପରିଚୟ ଦେଇଥିଲେ। ସେ ଆପ୍ରୁ ଅଭିଯୋଗକାରିଣୀଙ୍କ ମୋବାଇଲ୍ ନମ୍ବର ସଂଗ୍ରହ କରି ତାଙ୍କ ସହ ଯୋଗାଯୋଗ କରିଥିଲେ ।
ପରବର୍ତ୍ତୀ ସମୟରେ, ଅଭିଯୁକ୍ତ ତାଙ୍କୁ କେବିକେ କେବିକେ ଅଞ୍ଚଳକୁ ବଦଳି କରାଇଦେବାର ଧମକ ଦେଇଥିଲେ। ଅଭିଯୋଗକାରିଣୀଙ୍କୁ ବାଧ୍ୟ କରି SBI, HDFC ଏବଂ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ତିନୋଟି ଆକାଉଣ୍ଟ ଖୋଲିବାକୁ ଲଗାଇଥିଲେ, ଯାହା ଅଭିଯୁକ୍ତଙ୍କ ମୋବାଇଲ୍ ନମ୍ବର ସହ ସଂଯୁକ୍ତ ଥିଲା ।
ଏହାପରେ ସେ ସମସ୍ତ ପାସ୍ ବୁକ୍, ଚେକ୍ ବୁକ୍, ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ନିଜ ଅଧୀନକୁ ନେଇଯାଇଥିଲେ।ପରେ ଅଭିଯୋଗକାରିଣୀ ଜାଣିବାକୁ ପାଇଲେ ଯେ ତାଙ୍କ ଆକାଉଣ୍ଟରେ ୬.୫ ଲକ୍ଷ ଟଙ୍କାର ଋଣ ଜମା ହୋଇଛି, ସେ ଏହାର ବିରୋଧ କରିଥିଲେ । ପରେ ସାଇବର୍ ପୋଲିସ୍ ତଦନ୍ତ କରି ଅଭିଯୁକ୍ତ ବଳଭଦ୍ରଙ୍କୁ ଗିରଫ କରିଛି ।
