ନେପାଳ ବନ୍ୟାରେ ଓଡ଼ିଆ ଦମ୍ପତି ନିଖୋଜ, ଫସିଥିବା ପୀଡ଼ିତଙ୍କ ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର : ନେପାଳରେ ଜଳ ବିଭୀଷିକା । ନେପାଳରେ ପ୍ରକୃତି ଦେଖାଇଛି ତା’ର କରାଳ ରୂପ। ବୁଧବାର ସକାଳେ ତିବ୍ବତ ସୀମା ନିକଟସ୍ଥ ନେପାଳର ରସୁୱା ଜିଲ୍ଲାରେ ଭୟଙ୍କର ଆକସ୍ମିକ ବନ୍ୟା ଆସିବାରୁ ଅନେକ ଗାଁ ଓ ବିଭିନ୍ନ ପ୍ରକଳ୍ପ ସ୍ଥଳୀ ଧୋଇଯାଇଛି । ବର୍ତ୍ତମାନ ସୁଦ୍ଧା ୧୬୦ ମୃତ, ଶତାଧିକ ନିଖୋଜ ଅଛନ୍ତି । ନେପାଳରେ ୪୦୩ ଜଣ ନିଖୋଜ ଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ୩୪୧ ଜଣ ବିଦେଶୀ ନାଗରିକ ଅଛନ୍ତି। ସେହିପରି ବୁଲିବାକୁ ଯାଇ ନେପାଳରେ ଓଡ଼ିଆ ଦମ୍ପତି ନିଖୋଜ ହୋଇଯାଇଛନ୍ତି । ନିଖୋଜ ଦମ୍ପତି ଭୁବନେଶ୍ବରର ସନ୍ଦୀପ ମହାପାତ୍ର ଏବଂ ତାଙ୍କ ପତ୍ନୀ ସିଦ୍ଧାର୍ଥୀ ସାହୁ। ଦୁଇ ଜଣ ବୁଲିବା ପାଇଁ ଅଷ୍ଟ୍ରେଲିଆରୁ କାଠମାଣ୍ଡୁ ଆସିଥିଲେ। ନେପାଳରେ ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ସେମାନଙ୍କ କୌଣସି ପତ୍ତା ମିଳୁନଥିବା ସୂଚନା ମିଳିଛି । ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ବିଚ୍ଛିନ୍ନ ହୋଇଛି । ଉଭୟଙ୍କ ଫୋନ ବନ୍ଦ ରହିଛି, କୌଣସି ସନ୍ଧାନ ମିଳିନାହିଁ। ଏଭଳି ସ୍ଥିତିରେ ନିଖୋଜ ଓଡ଼ିଆ ଦମ୍ପତିଙ୍କୁ ନେଇ ପରିବାର ଲୋକେ ଚିନ୍ତାରେ ଅଛନ୍ତି । ସେମାନଙ୍କ ସନ୍ଧାନ ପାଇଁ ଉଦ୍ୟମ ଜାରି ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ନୋଡାଲ ଅଧିକାରୀ ପ୍ରିତୀଶ ପଣ୍ଡା।

ଅନ୍ୟପଟେ ନେପାଳ ବନ୍ୟାରେ ଫସିଥିବା ଓଡ଼ିଆଙ୍କ ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଓଡିଶା ସରକାରଙ୍କ ମୁଖ୍ୟ ଆବାସିକ କମିଶନରଙ୍କ ନିର୍ଦ୍ଦେଶରେ ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ବିପଦରେ ଥିବା ଏବଂ ସହାୟତା ଆବଶ୍ୟକ କରୁଥିବା ଓଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ହେଲପଲାଇନ ନମ୍ବର ଜାରି ହୋଇଛି । ହେଲପଲାଇନ୍ ନମ୍ବର ହେଲା ୦୧୧-୨୩୦୧୨୮୦୭ / ୭୪୨୮୧୩୫୦୪୪ / ୮୫୨୭୫୮୦୨୪୫ । ଅନ୍ୟପଟେ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ହେଲ୍ପଲାଇନ୍ ନମ୍ବର ଜାରି କରିଛି । +୯୭୭ ୯୮୫୧୩୧୬୮୦୭ / +୯୭୭ ୯୭୦୯୧୦୭୫୦୦ରେ ଫୋନ କରି ନିଖୋଜ ଭାରତୀୟଙ୍କ ସମ୍ବନ୍ଧରେ ତଥ୍ୟ ଓ ସୂଚନା ଦେବାକୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *