ପୁରୀ ବେଳାଭୂମିରେ ଆରମ୍ଭ ହୋଇଛି ୨୩ ତମ ଲୋକମେଳା ଓ ୧୬ ତମ କୃଷିମେଳା
ପୁରୀ: ପୁରୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ପୁରୀ ବେଳାଭୂମିରେ ଆରମ୍ଭ ହୋଇଛି ୨୩ ତମ ଲୋକମେଳା ଓ ୧୬ ତମ କୃଷିମେଳା । ପ୍ରତିଦିନ ପୁରୀ ବେଳାଭୂମିରେ ଅନୁଷ୍ଠିତ ଏହି ଲୋକମେଳା ଓ କୃଷିମେଳାରେ ପୁରୀର କଳିଙ୍ଗ ଟିଭି ପରିଚାଳନା ନିର୍ଦେଶକ ହିମାଂଶୁ ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଵା ସହ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଲୋକମେଳାର ଚତୁର୍ଥ ସନ୍ଧ୍ୟାରେ ବିଭିନ୍ନ ରାଜ୍ୟର ରଙ୍ଗାରଙ୍ଗ ଲୋକନୃତ୍ୟ ସାଙ୍ଗକୁ ସଂଗୀତ ପରିବେଷିତ ହୋଇଥିଲା । ହରିୟଣା ନୃତ୍ୟଦଳ ପକ୍ଷରୁ ଶିବସ୍ତୁତି, ଆସାମ ନୃତ୍ୟ ଦଳ ପକ୍ଷରୁ ବିହୁ, ଗୁଜୁରାଟ ଦଳ ପକ୍ଷରୁ ଡାଙ୍ଗ ଲୋକନୃତ୍ୟ, ମଣିପୁର ଦଳ ପକ୍ଷରୁ ଢ଼ୋଲ୍ ନୃତ୍ୟ, ଝାଡ଼ଖଣ୍ଡ ଦଳ ପକ୍ଷରୁ ଛଉ ନୃତ୍ୟ, ଓଡିଶା ଦଳ ସମ୍ବଲପୁରୀ ଓ ପଶ୍ଚିମବଙ୍ଗ ଏବଂ ତ୍ରିପୁରାର ଲୋକନୃତ୍ୟ ଅନ୍ୟତମ ଆକର୍ଷଣ ଥିବାବେଳେ ଦର୍ଶକ ଓ ଶ୍ରୋତାଙ୍କୁ ଏହା ଅଭିଭୂତ କରିଥିଲା।
ପୁରୀ ବେଳାଭୂମିରେ ଆୟୋଜିତ ଏହି ଲୋକ ମେଳା ଓ କୃଷି ମେଳା ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ଆୟୋଜିତ କରାଯାଇଥିବାରୁ ଆୟୋଜକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଅତିଥିମାନେ । ଲୋକ କଳାକୁ ଉଜ୍ଜିବିତ ରଖିବା ଲାଗି ଶ୍ରୀକ୍ଷେତ୍ର ସୂଚନାର ଏକ ବିରାଟ ପ୍ରୟାସ ବୋଲି କହିଥିଲେ ଅତିଥି ମନେ । କୃଷି କ୍ଷେତ୍ର ରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର ଉତ୍ପାଦନକୁ ଆହୁରି ସୁଦୃଢ କରିଛି । ପୁରୀ ରେ ଆୟୋଜିତ ଏହି ଲୋକ ମେଳାରେ ୨୨ଟି ରାଜ୍ୟରୁ କଳାକାର ମନେ ନିଜ ପାରମ୍ପରିକ କଳା ପ୍ରଦର୍ଶନ କରିଥିଲେ । କଳିଙ୍ଗ ଟିଭି ପରିଚାଳନା ନିର୍ଦେଶକ ହିମାଂଶୁ ଖଟୁଆ କଳାକାର ମାନଙ୍କୁ ପ୍ରଶଂସା କରିବା ସହ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ରାଜେଶ କୁମାର୍ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ହିମାଂଶୁ ଖଟୁଆଙ୍କ ସମେତ ବହୁ ବିଶିଷ୍ଟ ଅତିଥି ମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ସାଂସ୍କୃତିକ ଦଳ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଉଦଘୋଷକ ଚନ୍ଦ୍ରବିଜୟୀ ମିଶ୍ର ସଂଯୋଜନା କରିଥିଲେ । ସାଂସ୍କୃତିକ ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଭାରତ ବର୍ଷର ୨୨ଟି ରାଜ୍ୟ ପ୍ରାୟ ପାଞ୍ଚଶହ କଳାକାରଙ୍କ ନୃତ୍ୟରେ ନାଚି ଉଠିଥିଲା ସ୍ଵର୍ଣ୍ଣାଭ ବେଳାଭୂମି । ଏତଦ୍ ବ୍ୟତୀତ ଆୟୋଜିତ କୃଷିମେଳାରେ ଭାରତ ବର୍ଷର ବିଭିନ୍ନ ରାଜ୍ୟ, ବିଭିନ୍ନ ବିଭାଗ ଓ ଓଡ଼ିଶାର ଅନେକ କୃଷି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ଉତ୍ସବକୁ ପରିଚାଳନାରେ ସହଯୋଗ କରିଥିଲେ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଶିବସୁନ୍ଦର ମିଶ୍ର , ରିତେଶ କୁମାର ମହାନ୍ତି, ବିଦ୍ରୋହ କେଶରୀ ସିଂହ, ନାରାୟଣ ପାତ୍ର, ସତ୍ୟବ୍ରତ ଦାସ, ଦେବେନ୍ଦ୍ର ମହାପାତ୍ର, ପ୍ରଦ୍ୟୁମ୍ନ ସାଥୁଆ ସୌମ୍ୟରଞ୍ଜନ ମିଶ୍ର , ନୃସିଂହ ଚରଣ ଦାଶ ଏଵଂ ଅନ୍ୟ ସଦସ୍ୟ ବୃନ୍ଦ । ତେବେ ଦେଶର ବିଭିନ୍ନ ରାଜ୍ୟରୁ ପାଖାପାଖି ୫୦୦ କଳାକାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପୁରୀରେ ଆରମ୍ଭ ହୋଇଥିବା ଏହି ଲୋକ ମେଳା ଓ କୃଷି ମେଳା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି ।
