ପୋଲିସ କବଜାରେ ଅନଲାଇନ ଠକ, ଅନଲାଇନ ନିବେଶରେ ୯ କୋଟି ଟଙ୍କାର ଠକେଇ କରିଥିବା ଯୁବକ ଗିରଫ
ବ୍ରହ୍ମପୁର : ପୋଲିସ କବଜାରେ ଅନଲାଇନ ଠକ । ଅନଲାଇନ ନିବେଶରେ ୯ କୋଟି ଟଙ୍କାର ଠକେଇ କରିଥିବା ଯୁବକ ଗିରଫ । ଗିରଫ ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦିଗାପଡ଼ାର ଅନୀଲ କୁମାର ମିଶ୍ର । ଅନୀଲଙ୍କ ଠାରୁ ପୋଲିସ ୪ଟି ବ୍ୟାଙ୍କ ପାସବୁକ ଓ ୪ଟି ମୋବାଇଲ ଫୋନ ଜବତ କରିଛି । ବ୍ରହ୍ମପୁର ଆସିକା ରୋଡ଼ର ଅନୁରାଗ ମିଶ୍ରଙ୍କ ଠାରୁ ଅନୀଲ ଠକି ନେଇଛନ୍ତି ୯ କୋଟି ୭୧ ଲକ୍ଷ ୫୫ ହଜାର ୭୩ ଟଙ୍କା । ଟଙ୍କା ନିବେଶ କରି ଅଧିକ ଅର୍ଥ ପାଇବାର ଆଶା ଦେଖାଇଥିଲେ ଅନୀଲ । ବିଭିନ୍ନ ଆକାଉଣ୍ଟରେ ୯ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦେଇଥିଲେ ଅନୁରାଗ । ପ୍ରଥମେ ଗତ ୨୦୨୪ ଏପ୍ରିଲ ମାସରେ ୨ ଲକ୍ଷ ଟଙ୍କା ଦେଇ ୨ ଲକ୍ଷ ୨୬ ହଜାର ଟଙ୍କା ପାଇଥିଲେ ଅନୁରାଗ ।
୨୦୨୪ ମେ ମାସରୁ ୨୦୨୫ ଏପ୍ରିଲ ୧୧ ତାରିଖ ମଧ୍ୟରେ ଅନୁରାଗ ମୋଟ ୯ କୋଟି ୭୧ ଲକ୍ଷ ୫୫ ହଜାର ୭୩ ଟଙ୍କା ନିଜର ଆକାଉଣ୍ଟରୁ ଅନୀଲଙ୍କୁ ଦେଇଥିଲେ । ଏପ୍ରିଲ ୨୦୨୫ ସୁଦ୍ଧା ୩ କୋଟି ଟଙ୍କା ଫେରସ୍ତ ପାଇଥିଲେ ଅନୁରାଗ । କିନ୍ତୁ ୧୧ ଏପ୍ରିଲ ୨୦୨୫ ପରେ ଆଉ ଟଙ୍କା ପାଇନଥିଲେ ।ଏନେଇ ଅନୁରାଗ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗ ପାଇବା ପରେ ଅନୀଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଘଟଣାରେ ଅଧିକା ତଦନ୍ତ ଜାରୀ ରହିଛି ।
