ପ୍ରବଳ ବର୍ଷା ଯୋଗୁଁ କେଦାରନାଥ ରାସ୍ତା ଅବରୋଧ, ୧୬୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ଗୁରୁତର ଅବସ୍ଥାରେ ରହିଛି । ଯାହା ଦ୍ବାରା ଗୌରୀକୁଣ୍ଡ ନିକଟରେ କେଦାରନାଥକୁ ଯାଉଥିବା ବାଟରେ ବଡ଼ ବଡ଼ ପଥର ଦେଖିବାକୁ ମିଳିଛି । ଫଳରେ ରାସ୍ତା ଅବରୋଧ ହୋଇ ରହିଛି । ଏଭଳି ପରିସ୍ଥିତିରେ ଚାରିଧାମ ଯାତ୍ରାରେ ଯାଇଥିବା ୧୬୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏହା ବ୍ୟତୀତ ରିଲିଫ୍ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଜାରି ରହିଛି ।

ସୂଚନାନୁଯାୟୀ, ଗୌରୀକୁଣ୍ଡର ଘୋଡା ପାହଡ଼ଠାରୁ ପାଖାପାଖି ୫୦ ମିଟର ଦୂରରେ ଥିବା କେଦାରନାଥ ପାଦଚଲା ରାସ୍ତାର ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଭାରି ପଥର ପଡ଼ି ରାସ୍ତା ଅବରୋଧ ହୋଇ ରହିଛି । ଯାହା ପରେ ଜିଲ୍ଲା ପ୍ରଶାସନ, ଏନଡିଆରଏଫ, ଏସଡିଆରଏଫ୍ ସମେତ ଅନ୍ୟ ବିଭାଗୀୟ ସମ୍ବନ୍ଧୀତ ଟିମ୍ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବିକଳ୍ପ ରାସ୍ତା ଦେଖି ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ଏହାରି ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ଏବଂ ପୁନର୍ବାସ ସଚିବ ବିନୋଦ କୁମାର ସୁମନ କହିଛନ୍ତି ଯେ, ଜିଲ୍ଲାରେ ରାତି ପ୍ରାୟ ୧ଟାରୁ ଭୋର୍ ୪ ଟା ପର୍ଯ୍ୟନ୍ତ ଲଗାତାର ବର୍ଷା ହୋଇଥିଲା । ଯାହା ଫଳରେ ଚାମେଲି ଏବଂ ରୁମସି, ଚାମରାଡା ଟୋକ୍ ଏବଂ ବିଜୟନଗର ଅଞ୍ଚଳର ପ୍ରାୟ ଦଶଟି ଘରେ ପାଣି ପ୍ରବେଶ କରିଥିଲା । କିନ୍ତୁ ଏଥିରେ କୌଣସି ମୃତାହତର ଖବର ନାହିଁ । ଏହା ସହିତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ସବୁ ପରିସ୍ଥିତି ବିଷୟରେ ସୂଚନା ନେଉଥିଲେ । ଏହା ଛଡ଼ା ତୀର୍ଥଯାତ୍ରୀଙ୍କ ପ୍ରତି ଯତ୍ନ ନେବାକୁ, ରିଲିଫ୍ ସହାୟତା ଯୋଗାଇବାକୁ ଏବଂ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ବିଭାଗର ସୁରକ୍ଷାକର୍ମୀ ଦଳ ସକାଳ ୬ଟାରୁ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Spread the love