ପ୍ରଶାନ୍ତଙ୍କ ପତ୍ନୀଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ମୃତକଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
ପ୍ରଶାନ୍ତଙ୍କ ପତ୍ନୀଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀଙ୍କୁ ଭେଟିଲା ସାଂସଦ ଅପରାଜିତା ଷଡଙ୍ଗୀ । ଶ୍ରୀନଗରରେ ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏହାସହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସାଂସଦ ଅପରାଜିତା ।
ସେପଟେ ଆଜି ଓଡ଼ିଶା ମାଟିରେ ପହଞ୍ଚିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ । ଅପରାହ୍ନରେ ଶ୍ରୀନଗରରୁ ୨ଟା ୩୫ମିନିଟରେ ଓଡ଼ିଶା ଅଭିମୁଖେ ବାହାରିବ ମୃତଦେହ । ଦିଲ୍ଲୀ ଦେଇ ୯ ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବ ପ୍ରଶାନ୍ତଙ୍କ ମରଶରୀର । ଏହା ପରେ ଭୁବନେଶ୍ୱରରୁ ପୁଣି ବାଲେଶ୍ୱର ସ୍ଥିତ ତାଙ୍କ ବାସଭବନକୁ ନିଆଯିବ ପ୍ରଶାନ୍ତଙ୍କ ମୃତଦେହ । ପ୍ରଶାନ୍ତଙ୍କ ମୃତୁ୍ୟକୁ ନେଇ ରେମୁଣା ସାରଗାାଁରେ ଶୋକାକୂଳ ପରିବେଶ ଖେଳିଯାଇଛି ।
ସୂଚନା ଅନୁସାରେ ଜମ୍ମୁ କଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ଣରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ପର୍ଯ୍ୟଟକ । ବାଲେଶ୍ବର ସଦର ବ୍ଲକ ସାରଗାଁ ଗ୍ରାମପଞ୍ଚାୟତର ପ୍ରଶାନ୍ତ ଶତପଥୀ ଆତଙ୍କବାଦୀଙ୍କ ଦ୍ବାରା କରାଯାଇଥିବା ଗୁଳିମାଡ଼ର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ସେ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ । ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ଜମ୍ମୁ କଶ୍ମୀର ଅନନ୍ତନାଗ ପୋଲିସ ସ୍ପଷ୍ଟ କରିଛି । ଆତଙ୍କୀଙ୍କ ଗୁଳିରେ ପ୍ରଶାନ୍ତଙ୍କ ମୃତ୍ୟୁ ପରେ ସାରଗାଁ ଗ୍ରାମପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି ।