ବଣ୍ଡାଙ୍କ ପାଟଖଣ୍ଡା ଯାତ୍ରାରେ ଜୟପୁର ରାଜା
ମାଲକାନଗିରି: ବାଜା,ମହୁରୀ ଓ ବଣ୍ଡାଙ୍କ ନଚଗୀତର ତାଳେ ତାଳେ କମ୍ପିଲା ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବସବାସ କରୁଥିବା ବଣ୍ଡାଘାଟି । ପୁଣି ଫେରିଲା ପ୍ରାଚୀନ ସଭ୍ୟତାର ଛିଟା । ବଣ୍ଡାଙ୍କ ପାଟଖଣ୍ଡା ଯାତ୍ରାରେ ଯୋଗ ଦେଲେ ଜୟପୁର ମହାରାଜ ବିଶେଶ୍ବର ଚନ୍ଦ୍ରଚୁଡ ଦେବ । ପାଟଖଣ୍ଡା ଯାତ୍ରାରେ ପହଞ୍ଚିଲେ ଜୟପୁର ମହାରାଜ ବିଶେଶ୍ବର ଚନ୍ଦ୍ରଚୁଡ ଦେବ । ୨ ଶହ ବର୍ଷ ତଳ ଇତିହାସର ହେଲା ପୁନରାବୃତ୍ତି । ରାଜାଙ୍କୁ ରାଜକୀୟ ସମ୍ମାନର ସହ ସ୍ବାଗତ କରାଗଲା । ଦୀର୍ଘ ବର୍ଷ ତଳର ରୀତିନୀତି ଅନୁଯାୟୀ ରାଜା ଯାତ୍ରାରେ ସାମିଲ ହେବା ସହ ପୁରୁଣା ସ୍ମୃତିକୁ ଉଜାଗର କଲେ । ବଣ୍ଡା ଜନଜାତିଙ୍କୁ ନିଜର ସୁରକ୍ଷା ପାଇଁ ଜୟପୁର ରାଜା ଧନୁତୀର ଯୋଗାଇ ଦେଇଥିବା ବେଳେ, ବଣ୍ଡା ଜନଜାତି ପାଟଖଣ୍ଡା ଯାତ୍ରାରେ ମଧ୍ୟ ରାଜାଙ୍କୁ ଉପହାର ଆକାରରେ ଧନୁତୀର ଦେଇଥିଲେ । ୫ ଶହ ବର୍ଷ ତଳେ ବଣ୍ଡା ଜନଜାତିଙ୍କ ଏହି ପର୍ବରେ ଜୟପୁର ମହାରାଜା ପ୍ରତିବର୍ଷ ଯୋଗ ଦେଉଥିଲେ ଏବଂ ରୀତିନୀତି ଅନୁଯାୟୀ ପୂଜା କରୁଥିଲେ ।
କିନ୍ତୁ ୨ ଶହ ବର୍ଷ ତଳେ ରାଜାଙ୍କ ଆଗମନ ବନ୍ଦ ହୋଇଯାଇଥିଲା । ଚଳିତ ଥର ବଣ୍ଡା ଜନଜାତିଙ୍କ ପାଟଖଣ୍ଡା ଯାତ୍ରାକୁ ମନେପକାଇ ଜୟପୁର ମହାରାଜାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରଣ ପାଇବା ପରେ ମହାରାଜା ରୀତିନୀତି ଅନୁଯାୟୀ ପ୍ରଥମେ ଖଇରପୁଟରେ ପହଞ୍ଚିଥିଲେ । ମହାରାଜାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ଭଉଣୀ ଦାମଲଦେଇ ଠାକୁରଙ୍କୁ ଦର୍ଶନ କରିବା ପରେ ବଣ୍ଡାଘାଟି ଯାଇଥିଲେ ।
ରାଜା ରାଜୁଡା ସମୟରେ ଜୟପୁର ରାଜାଙ୍କ ଅଧୀନରେ ରହୁଥିଲେ ବଣ୍ଡା ଜନଜାତି । ବଣ୍ଡାଙ୍କ ସୁରକ୍ଷା ପାଇଁ ଧନୁ ଓ ତୀର ପ୍ରଦାନ କରିଥିଲେ ରାଜା । ସେହି ଇତିହାସକୁ ମନେ ପକାଇ ବଣ୍ଡା ଜନଜାତି ମହାରାଜାଙ୍କୁ ଏକ ଧନୁ ଓ ତୀର ଉପହାର ଆକାରରେ ପ୍ରଦାନ କରିଥିଲେ ।
ବଣ୍ଡା ଘାଟିରେ ପ୍ରତିବର୍ଷ ପାଳିତ ହୁଏ ଆଦିମ ଜନଜାତି ବଣ୍ଡାଙ୍କ ପାଟଖଣ୍ଡା ଯାତ୍ରା। ଘାଟିର ୧୨ ଖଣ୍ଡ ଗାଁର ଲୋକେ ଏହି ଯାତ୍ରାରେ ହୋଇଥାନ୍ତି ସାମିଲ । ଆସନ୍ତା ବର୍ଷ ଭଲ ଫସଲ ହେବା ପାଇଁ ପାରମ୍ପରିକ ରୀତିରେ ଖଣ୍ଡାକୁ ପୂଜାର୍ଚ୍ଚନା କରିଥାନ୍ତି ବଣ୍ଡା ଜନଜାତି । ଏଠି କୌଣସି ପଥର ମୂର୍ତ୍ତି କିମ୍ବା ମନ୍ଦିର ନାହିଁ । ଏକ ଖଣ୍ଡାକୁ ଗଛ କଡରେ ବର୍ଷ ବର୍ଷ ରଖିଛନ୍ତି ବଣ୍ଡା ଜନଜାତି । ପ୍ରତିବର୍ଷ ଗଛ କଡରୁ ଏହି ଖଣ୍ଡାକୁ କାଢି ପୂଜାର୍ଚ୍ଚନା ପରେ ପୁଣି ରଖିଦିଆଯାଏ ଗଛ କଡରେ । ପାରମ୍ପରିକ ରୀତି ଅନୁଯାୟୀ ଧାନ, ମାଣ୍ଡିଆ, ସୁଆଁ ବିହନକୁ ପାଟଖଣ୍ଡା ପାଖରେ ପୂଜାର୍ଚ୍ଚନା କରନ୍ତି ।ପ୍ରତିବର୍ଷ ଘାଟିରେ ପାଳନ ହୁଏ ପାଟଖଣ୍ଡା । ଚଳିତ ବର୍ଷ ଜୟପୁର ମହାରାଜା ଏହି ଯାତ୍ରାରେ ଯୋଗ ଦେବା ପରେ ଚଳିତ ବର୍ଷର ଯାତ୍ରା ପୁଣି ଇତିହାସର ପୁନରାବୃତ୍ତି କରିଛି ।
