ବର୍ଷେ ହେଲା ଫାଙ୍କା ଦୁଇ ଶିକ୍ଷକ ପଦବୀ, ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ
ଉଦଳା: ଶିକ୍ଷକଙ୍କ ପାଇଁ ଚାଲି ଚାଲି ଆସି ବ୍ଲକ ଶିକ୍ଷା ଅଧିକାରୀଙ୍କୁ କଲେ ଗୁହାରି । ଡହ ଡହ ଖରାରେ ଛାତ୍ର ଛାତ୍ରୀ ଦୁଇ କିଲୋମିଟର ଚାଲି ଚାଲି ଆସି ଜଣାଇଲେ ଗୁହାରି । ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଉଦଳା ବ୍ଲକ ବଡ଼ଖମଣ ଉଚ୍ଚ ବିଦ୍ୟାଳୟରେ ଇଂରାଜୀ ଓ ଗଣିତ ଶିକ୍ଷକ କେହି ନାହାନ୍ତି । ଏକ ବର୍ଷରୁ ଅଧିକ ହେବ ଏହି ଦୁଇ ଶିକ୍ଷକ ପଦବୀ ଫାଙ୍କା ପଡ଼ିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଦଶମ ଶ୍ରେଣୀ ଛାତ୍ରଙ୍କ ଗଣିତ ଏବଂ ଇଂରାଜୀ ବିଷୟ ଖରାପ ହୋଇଥିଲା । ପୂର୍ବରୁ ଏହି ଦୁଇ ପଦବୀ ପୂରଣ ପାଇଁ ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକ ବାରମ୍ବାର ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ହୋଇପାରିନାହିଁ । ଆଜି ପୁଣି ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକ ମାନେ ଗାଁରୁ ଆସିଥିବା ବେଳେ ଦୁଇ କିଲୋମିଟରରୁ ଅଧିକ ରାସ୍ତା ଛାତ୍ର ଛାତ୍ରୀ ମାନେ ଚାଲି ଚାଲି ଆସି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଭେଟି ଗୁହାରି ଜଣାଇଛନ୍ତି । ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି ।
