ବାଲେଶ୍ୱରରେ ଦୁଇଟି ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ: ଘର ଜଳି ପାଉଁଶ, ଅଳ୍ପକେ ବର୍ତ୍ତିଲେ ପରିବାର

 ଦୀପାବଳିରେ ବାଲେଶ୍ୱରରେ ଅଗ୍ନିକାଣ୍ଡର ଦୁଇଟି ବଡ଼ ଘଟଣା । ବିଳମ୍ବିତ ରାତିରେ ସହରର ଦୁଇଟି ଭିନ୍ନ ସ୍ଥାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ । ଗୋଟିଏ ସ୍ଥାନରେ ଶର୍ଟ ସର୍କିଟ୍‌ରୁ ଘର ଜଳିଥିବା ବେଳେ ଅନ୍ୟ ଏକ ସ୍ଥାନରେ ବାଣରୁ ନିଆଁ ଲାଗିଥିବା ସୂଚନା ମିଳିଛି ।

ପ୍ରଥମ ଘଟଣାଟି ଫକୀରମୋହନ ଗୋଲେଇ ନିକଟରେ ଘଟିଛି। ନିଶାକର ବେହେରାଙ୍କ ଘରେ ପରିବାର ସଦସ୍ୟ ଶୋଇଥିବା ସମୟରେ ଠାକୁର ଘରୁ ଶର୍ଟ ସର୍କିଟ୍ ହୋଇ ନିଆଁ ଲାଗିଯାଇଥିଲା । ଦେଖୁଦେଖୁ ନିଆଁ ଘରର ଉପର ମହଲାକୁ ବ୍ୟାପି ଯାଇଥିଲା । ଦୁଇ ଜଣ ସଦସ୍ୟ ଘରୁ ବାହାରି ଆସିବାରେ ସକ୍ଷମ ହୋଇଥିବା ବେଳେ ଆଉ ଦୁଇ ଜଣ ଭିତରେ ଫସି ରହିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ସହ ଫସିଥିବା ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା ।

ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଏହାକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡ଼ିଥିଲା । ଘର ତଳ ମହଲାରେ ଦୀପାବଳି ପାଇଁ ଦୀପ ଜଳୁଥିବା ବେଳେ ଉପର ମହଲା ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି ।

ସେହିପରି ଦ୍ୱିତୀୟ ଅଗ୍ନିକାଣ୍ଡ ଘଟିଛି ଗୁଡ଼ିପଦା ଅଞ୍ଚଳରେ । ବାଣରୁ ନିଆଁ ଲାଗି ବସ୍ତି ନିକଟସ୍ଥ ପଦାରେ ଅଗ୍ନିକାଣ୍ଡ ଘଟିଥିଲା। ସେଠାରେ ଟ୍ରାନ୍ସଫର୍ମରର ତେଲ ଚାରିଆଡ଼େ ପଡ଼ିଥିବାରୁ ନିଆଁ ଦ୍ରୁତଗତିରେ ବ୍ୟାପି ହୁତୁହୁତୁ ହୋଇ ଜଳିଥିଲା । ଏହାସହ ଗୋଟିଏ ବଖରା ଘରେ ମଧ୍ୟ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଫୋମ୍ ଓ ପାଣି ସହାୟତାରେ ନିଆଁକୁ ଆୟତ୍ତ କରିଥିଲା । ଦୀପାବଳିର ଆଲୋକ ଓ ଉତ୍ସବ ମଧ୍ୟରେ ବାଲେଶ୍ୱରରେ ଘଟିଥିବା ଏହି ଦୁଇ ଅଗ୍ନିକାଣ୍ଡ ଅଗ୍ନି ନିରାପତ୍ତା ଓ ସତର୍କତାର ଗୁରୁତ୍ୱକୁ ପୁଣି ଥରେ ମନେ ପକାଇ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *