ବିଜେପି ସରକାରରେ ମହିଳାମାନେ କୌଣସି କ୍ଷେତ୍ରରେ ସୁରକ୍ଷିତ ନାହାନ୍ତି’

ଭୁବନେଶ୍ୱର: ନାରୀ ନିର୍ଯାତନାକୁ ନେଇ ସମଗ୍ର ରାଜ୍ୟ ଉଦ୍ବିଗ୍ନ ଥିଲାବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ଧର୍ମଶାଳା ବିଧାୟକଙ୍କ ଅସଦାଚରଣ ଘଟଣାରେ ପୁଲିସ୍ ଏତଲା ଗ୍ରହଣ ନ କରିବା ଉଦ୍‌ବେଗଜନକ ବୋଲି ବିଜୁ ଜନତା ଦଳ (ବିଜେଡି) କହିଛି।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ପିଏସି ସଦସ୍ୟା ଟୁକୁନି ସାହୁ କହିଛନ୍ତି ଯେ, ବିଜେପି ସରକାରରେ ରାଜ୍ୟରେ ମହିଳାମାନେ କୌଣସି କ୍ଷେତ୍ରରେ ସୁରକ୍ଷିତ ନାହାନ୍ତି। ପ୍ରତିଦିନ ରାଜ୍ୟରେ ଘଟୁଥିବା ନାରୀ ନିର୍ଯାତନା ଘଟଣା ପାଇଁ ଓଡ଼ିଶା ଦେଶରେ ନିନ୍ଦିତ ହେଉଛି। ଦଳର ମୁଖପାତ୍ର ଶ୍ରୀମତୀ ଇପ୍ସୀତା ସାହୁ କହିଥିଲେ ଯେ, ବିଜେପି ସରକାରରେ ମହିଳା ଓ ଛାତ୍ରୀମାନେ ପ୍ରତ୍ୟେକ ଦିନ ନିର୍ଯାତନାର ଶିକାର ହେଉଥିବା ବେଳେ ଯାଜପୁର ଜିଲ୍ଲାରେ ଏକ ଅଭାବନୀୟ ନାରୀ ନିର୍ଯାତନାର ଖବର ସାମ୍ନାକୁ ଆସିଛି।

ସେହିପରି ଯାଜପୁର ଜିଲ୍ଲାରେ ଜଣେ କର୍ତ୍ତବ୍ୟରତ ମହିଳା ଏଏସ୍ଆଇଙ୍କୁ ଥାନା ଭିତରେ ବିଜେପି ସମର୍ଥକମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଅପାମାନିତ କରିଥିଲେ। ଏହି ଘଟଣାକୁ ନେଇ ମହିଳା ଏଏସ୍ଆଇ ଯାଜପୁର ପୋଲିସ୍ ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏଥିରୁ ଜଣାପଡୁଛି ଧର୍ମଶାଳା ବିଧାୟକଙ୍କ ଧନବଳ ଆଗରେ ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀ ମହୋଦୟ ଅସହାୟ ହୋଇପଡ଼ିଛନ୍ତି।

ସେହିପରି ଦଳର ମୁଖପାତ୍ର ସୋଫିଆ ଆଲାମ କହିଥିଲେ ଯେ, ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାମାନେ ନିର୍ଯାତନାର ଶିକାର ହୋଇ ଥାନାର ଦ୍ୱାରସ୍ଥ ହେଉଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଦୁର୍ଭାଗ୍ୟଜନକ। ଏଠି ଅପରାଧୀ ଉପରମୁହାଁ ହୋଇଥିବା ବେଳେ ସରକାର ଉପାୟଶୂନ୍ୟ ହୋଇପଡ଼ିଛନ୍ତି।

Spread the love