ଭଲିବଲର ବିକାଶ ନେଇ କିସ୍‍ ଓ ଏଫ୍‍ଆଇଭିବି ଆଲୋଚନା, ଓଡ଼ିଶାରେ ୪ଶହ ବିଦ୍ୟାଳୟକୁ ସାମିଲ କରାଯିବ

ଭୁବନେଶ୍ୱର : କିସ୍ ଜରିଆରେ ତୃଣମୂଳସ୍ତରରେ ଭଲିବଲର ବିକାଶ ନେଇ କିଟ୍‍-କିସ୍‍ ଓ ଏଫ୍‍ଆଇଭିବି ମଧ୍ୟରେ ଆଲୋଚନା ହୋଇଛି । ଏ ସମ୍ପର୍କରେ ଆଲୋଚନା ପାଇଁ କିଟ୍‍ ଓ କିସ୍‍ ପକ୍ଷରୁ ଏହାର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ସୁଇଜରଲ୍ୟାଣ୍ଡ ସ୍ଥିତ ଏଫ୍‍ଆଇଭିବି ମୁଖ୍ୟାଳୟକୁ ନିମନ୍ତ୍ରଣ କରାଯାଇଥିଲା । ଏଫ୍‍ଆଇଭିବି ହେଉଛି ଭଲିବଲର ସର୍ବୋଚ୍ଚ ଆନ୍ତର୍ଜାତିକ ସଂଗଠନ । ଭାରତରେ ବିଶେଷ କରି ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ ତୃଣମୂଳସ୍ତରରେ ଭଲିବଲର ପ୍ରସାର ଉପରେ ସୋମବାର ଏଫ୍‍ଆଇଭିବି କର୍ତ୍ତୃପକ୍ଷ ଓ ଡକ୍ଟର ସାମନ୍ତଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ଏହି ଆଲୋଚନାରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହ ଏଫ୍‍ଆଇଭିବି ଭଲିବଲ୍‍ ଫାଉଣ୍ଡେସନ୍‍ ସଭାପତି ଡ. ଆରି ଗ୍ରାକା, ଏଫଆଇଭିବି ସଭାପତି ଫାବିଓ ଆଜେଭେଦୋ, ଏଫ୍‍ଆଇଭିବି ଜେନେରାଲ୍‍ ଡାଇରେକ୍ଟର ଷ୍ଟିଭ୍‍ ଟଟନ୍‍ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଡକ୍ଟର ସାମନ୍ତ ଭାରତୀୟ ଭଲିବଲ୍‍ ସଂଘର ସଭାପତି ଭାବେ ପଦ ଛାଡ଼ିବା ପରେ ଭାରତରେ ଭଲିବଲ୍‍ର ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇନଥିବା ଏହି ଆଲୋଚନା ଅବସରରେ ଏଫ୍‍ଆଇଭିବି କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ । ତେବେ ଖୁବ୍‍ ଶୀଘ୍ର କିଟ୍‍ ଓ କିସ୍‍ ଜରିଆରେ ଭାରତ ବିଶେଷକରି ଓଡ଼ିଶାରେ ଭଲିବଲର ପ୍ରସାର ପାଇଁ କିସରେ ଅନେକଗୁଡ଼ିଏ ସେଣ୍ଟର ଅଫ୍‍ ଏକ୍‍ସଲେନ୍‍ସ ଖୋଲାଯିବ ବୋଲି ଏଫ୍‍ଆଇଭିବି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି କେନ୍ଦ୍ରଗୁଡ଼ିରେ ଖେଳାଳି ଓ ପ୍ରଶିକ୍ଷକମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ପ୍ରଦାନ କରାଯିବ।

ଏହା ସହିତ ଭଲିବଲ୍‍ କୋଚ୍‍ ଓ ରେଫରୀମାନଙ୍କ ପାଇଁ ଏକ ଏକାଡେମିକ୍‍ ପ୍ରୋଗ୍ରାମ ମଧ୍ୟ ଚାଲୁ କରାଯିବ । ଆଗାମୀ ଦିନରେ ଓଡ଼ିଶାରେ ୪ଶହ ବିଦ୍ୟାଳୟକୁ ଏହି ବିକାଶଧାରାରେ ସାମିଲ କରାଯିବ ଏବଂ ପ୍ରତ୍ୟେକ ବିଦ୍ୟାଳୟକୁ ଭଲିବଲ୍‍ ଓ ନେଟ୍‍ ଯୋଗାଇ ଦିଆଯିବ ବୋଲି ଏଫ୍‍ଆଇଭିବି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ବିଚ୍‍ ଭଲିବଲ୍‍ର ବିକାଶ ପାଇଁ ମଧ୍ୟ ଏଫ୍‍ଆଇଭିବି ପକ୍ଷରୁ ପ୍ରଶିକ୍ଷକ ଯୋଗାଇ ଦିଆଯିବ । ଏହା ସହ ପ୍ରତିବର୍ଷ ଏଫ୍‍ଆଇଭିବି କିଟ୍‍ ଓ କିସ୍‍ ପରିଦର୍ଶନରେ ଆସି ଓଡ଼ିଶାରେ ହୋଇଥିବା ଭଲିବଲ୍‍ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବ । ଏଥିରେ ସନ୍ତୋଷ ବ୍ୟକ୍ତ କରି ଡ. ସାମନ୍ତ କହିଛନ୍ତି, ଏହା ଦ୍ୱାରା ଓଡ଼ିଶାରେ ଭଲିବଲ୍‍ ଓ ବିଚ୍‍ ଭଲିବଲ୍‍ର ଯଥେଷ୍ଟ ବିକାଶ ଘଟିବା ସହ ପାଇଁ ତୃଣମୂଳସ୍ତରରେ କ୍ରୀଡ଼ା ପ୍ରତିଭା ସୃଷ୍ଟି ହୋଇପାରିବେ ।

Spread the love

Leave a Reply

Your email address will not be published. Required fields are marked *