ମାଁ ତାରାତାରିଣୀଙ୍କ ପୀଠର ଉନ୍ନତି ପାଇଁ ୩୦ କୋଟି ଟଙ୍କାର ଡିପିଆର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ : ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।  ପ୍ରଥମେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ପୀଠରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ।  ମନ୍ଦିରରେ ମାଁଙ୍କୁ ଦର୍ଶନ କରିବା ପରେ ମନ୍ଦିର ପରିସର ବୁଲି ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବୁଲି ଦେଖିଥିଲେ ।  ଖୁବଶୀଘ୍ର ମନ୍ଦିରର ଉନ୍ନୟନ ନେଇ ୩୦ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ କରାଯିବ ଓ ମନ୍ଦିରର ଉନ୍ନତିକରଣ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ଏହାପରେ ପୁରୁଷୋତ୍ତମପୁର ବ୍ଲକର ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ଏହାସହ ବିଦ୍ୟାଳୟର କିଛି ପୂର୍ବତନ ଛାତ୍ର ଓ ଶିକ୍ଷକଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।  ଏହାପରେ ନିଜର ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ ।  ଶିକ୍ଷା କ୍ଷେତ୍ରର ବର୍ତ୍ତମାନର ସରକାର ଯଥେଷ୍ଟ ଗୁରୁତ୍ବ ଦେଇ ଆସୁଛନ୍ତି ।

ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ କରିବା ସହ ପ୍ରତିଟି ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ହୋଇପାରିବ ସେ ନେଇ ସରକାର ସର୍ବଦା ଚେଷ୍ଟିତ ଅଛନ୍ତି ।  ପ୍ରତି ପଞ୍ଚାୟତରେ ଏକ ଆଦର୍ଶ ବିଦ୍ୟାଳୟ କରାଯାଇ ସେଠାରେ ଆନୁସଙ୍ଗିକ ବ୍ୟବସ୍ଥା ସହ ଭିତ୍ତିଭୂମି ସୁଦୃଢ କରାଯାଇ ଆବଶ୍ୟକ ସଂଖ୍ୟକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ନେଇ ସରକାର ଯୋଜନା ରଖିଛନ୍ତି ।  ପୂର୍ବ ସରକାର ୫ଟି ସ୍କୁଲ ନାମରେ କେବଳ ବାହାବା ନେଉଥିଲେ ।  କିନ୍ତୁ କୈାଣସି ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ ନଥିଲା ଯାହାଫଳରେ ଶିକ୍ଷା କ୍ଷେତ୍ରରେ ଜିଲ୍ଲା ଆହୁରି ତଳକୁ ଚାଲିଯାଇଥିଲା ।

ବର୍ତ୍ତମାନ ଏହି ସ୍କୁଲର ସମସ୍ତ ପ୍ରକାରର ଅସୁବିଧାକୁ ଦୂର କରାଯିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।  ସେପଟେ ୧୯୨୫ ମସିହାରେ ଏହି ବିଦ୍ୟାଳୟଟି ଗାଁ ଚାଟଶାଳିରୁ ଆରମ୍ଭ ହୋଇଥିଲା ।  ବହୁ ବାଧା ବିଘ୍ନରେ ଏହି ବିଦ୍ୟାଳୟ ଆଜି ୧୦୦ ବର୍ଷରେ ପାଦ ଦେଇଛି ।  ଆଜି ନିଜେ ମୁଖ୍ୟମନ୍ତ୍ରୀ ଆସି ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ବିଦ୍ୟାଳୟର ଶୋଭାକୁ ବଢାଇଛନ୍ତି ଓ ବିଦ୍ୟାଳୟ ନିଶ୍ଚିତ ଭାବେ ଆହୁରି ଆଗକୁ ଯିବ ବୋଲି କହିଛନ୍ତି ବିଦ୍ୟାଳୟର ପ୍ରଧାଳ ଶିକ୍ଷୟିତ୍ରୀ ।

Spread the love

Leave a Reply

Your email address will not be published. Required fields are marked *