ମାଆ ଝିଅଙ୍କୁ କାମୁଡ଼ିଲା ସାପ, ଝିଅ ଚାଲିଗଲା ମାଆ ଗୁରୁତର

ବାଲେଶ୍ବର: ଘର ଭିତରେ ଶୋଇଥିଲେ ମା’ ଝିଅ । ସେ ଜାଣି ନଥିଲେ କି ଏହି ନିଦ୍ରା ଜୀବନର ଶେଷ ନିଦ୍ରା ହୋଇଯିବ ବୋଲି । କାମୁଡି ଦେଲା ବିଷାକ୍ତ ସାପ । ଚାଲିଗଲା ୩ ବର୍ଷ ଶିଶୁର ଜୀବନ । ମା ଗୁରୁତର ଅବସ୍ଥାରେ ଜୀବନ ମରଣ ସହ କରୁଛି ସଂଘର୍ଷ ।

ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଦେଭୋଗ ପଞ୍ଚାୟତ ଡୁମିଚକ ଗାଁରେ ଘଟିଛି ଅଭାବନୀୟ ଘଟଣା । ଭୋଗରାଇ ବ୍ଲକ କୁମ୍ଭାରମୂଳି ଗାଁର ଅଜୟ ପାତ୍ରଙ୍କ ସ୍ତ୍ରୀ ମଧୁମିତା ପାତ୍ର ରଜ ଅବସରରେ ତାଙ୍କ ବାପଘର ଡୁମିଚକ ଗାଁର ବଳରାମ ପଟ୍ଟାୟତଙ୍କ ଘରକୁ ବୁଲିବା ପାଇଁ ଆସିଥିଲେ । ଆଜି ସକାଳେ ଉଭୟ ମା, ଝିଅ ଘର ଭିତରେ ଶୋଇଥିବା ବେଳେ ବିଷାକ୍ତ ନାଗ ସାପଟି ଘର ଭିତରେ ପଶି ପ୍ରଥମେ ମଧୁମିତାଙ୍କ ହାତକୁ କାମୁଡି ଥିଲା ପରେ ମଧୁମିତା ଡରି ଯାଇ ହାତ ଛାଟି ଦେବାରୁ ସାପଟି ଶିଶୁ କନ୍ଯାର ଗୋଡ ପାଖରେ ଛିଟିକି ପଡି ଶିଶୁ କନ୍ଯାର ଗୋଡକୁ କାମୁଡି ଦେଇଥିଲା ।

ଉଭୟଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ମାତ୍ର ସେଠାରେ ଚିକିତ୍ସା କରୁଥିବା ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ । ଏବଂ ସେଠାରେ ମା’ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ଯୁ ମାମଲା ରଜୁ କରିବା ସହ ଶିଶୁ କନ୍ଯା ର ଶବ ବ୍ଯବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ଏହି ଘଟଣା ଘଟିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଦୁନିଆ କଣ ଦେଖିବା ବୁଝିବା ଆଗରୁ ଚାଲିଯାଇଛି କୁନି ଝିଅର ପ୍ରାଣ । ଏବେ ମା’ କେମିତି ସୁସ୍ଥ ହୋଇ ଘରକୁ ଫେରିବେ ସେନେଇ ସମସ୍ତେ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି ।

Spread the love