ମୁର୍ସିଦାବାଦ୍‌ରେ ବାବରୀ ମସଜିଦ୍‌ର ଭିତ୍ତିପ୍ରସ୍ତର ସ୍ଥାପନ; ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଇଟା ନେଇ ପହଞ୍ଚିଲେ

କୋଲକାତା/ମୁର୍ସିଦାବାଦ୍‌ : ପଶ୍ଚିମବଙ୍ଗର ମୁର୍ସିଦାବାଦ୍ ଜିଲ୍ଳାର ବେଲଡାଙ୍ଗାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରୁ ନିଲମ୍ବିତ ବିଧାୟକ ହୁମାୟୁଁ କବୀର ଶନିବାର ଅଯୋଦ୍ଧାର ବାବରୀ ମସଜିଦ୍‌କୁ ଅନୁକରଣ କରି ଏକ ମସଜିଦ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କବୀର କଡ଼ା ସୁରକ୍ଷା ବଳୟ ମଧ୍ୟରେ ମଞ୍ଚ ଉପରେ ମୌଲବୀମାନଙ୍କ ସହ ଫିତା କାଟିବା ସହ ଉତ୍ସବ ସମ୍ପର୍ଣ୍ଣ କରିଥିଲେ । ଏହି ଅବସରରେ ‘ନାରାଏ ତକବୀର, ଆଲ୍ଳା ହୁ ଆକବର’ ସ୍ଲୋଗାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏକାଠି ହୋଇଥିଲେ । ପଶ୍ଚିମବଙ୍ଗର ଭିନ୍ନ ଭିନ୍ନ ଜିଲ୍ଳାରୁ ଆସିଥିବା ଏହି ଲୋକମାନେ ସାଥିରେ ଇଟା ଆଣିଥିଲେ । ଏମାନଙ୍କ ମଧ୍ୟରୁ କେତେକ ମୁଣ୍ଡ ଉପରେ, ଟ୍ରକ୍ଟରରେ, ରିକ୍ସାରେ ଇଟା ଆଣି କର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମକୁ ନେଇ ସମ୍ପୂର୍ଣ୍ଣ ବେଲଡାଙ୍ଗା ଅଞ୍ଚଳରେ ଶନିବାର ସକାଳୁ ହାଇଆଲର୍ଟ ଜାରି କରାଯାଇଥିଲା । ଏହାର ଆଖାପାଖ ଅଞ୍ଚଳରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀର ୧୯ଟି ଦଳ, ରାପିଡ ଆକ୍ସନ ଫୋର୍ସ, ସୀମା ସୁରକ୍ଷା ବଳ ଏବଂ ଅନେକ ସ୍ଥାନୀୟ ପୁଲିସ ଟିମ୍ ସହିତ ୩,୦୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ମୃତୟନ ହୋଇଥିଲେ । ହୁମାୟୁନ କବୀର ନଭେମ୍ବର ୨୫ରେ କହିଥିଲେ ଯେ, ଡିସେମ୍ବର ୬ରେ ବାବରୀ ମସଜିଦର ବିବାଦୀୟ ଢଞ୍ଚାର ବିଧ୍ୱଂସର ୩୩ ବର୍ଷ ପୁରଣ ହେବା ଅବସରରେ ଏହି ମସଜିଦର ଶୀଳାନ୍ୟାସ କରିବେ । ଏଥିପାଇଁ ତାଙ୍କୁ ଡିସେମ୍ବର ୪ରେ ଟିଏମ୍‌ସିରୁ ନୀଲମ୍ବିତ କରାଯାଇଥିଲା । ଏହି ମସଜିଦ ନିର୍ମାଣ କାର୍ଯ୍ୟ ରୋକିବାକୁ ଷଡ଼ଯନ୍ତ୍ର କରାଯାଇଥିଲା କବୀର କହିଛନ୍ତି । ଏହି ମସଜିଦ ନିର୍ମାଣ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନକୁ କୋଲକାତା ହାଇକୋର୍ଟ ଖାରଜ କରଥିଲେ । ତେବେ ଏହି କାର୍ଯ୍ୟକ୍ରମ ଅବସରରେ ଶାନ୍ତି ବଜାୟ ରଖିବାର ଦାୟିତ୍ୱ ରାଜ୍ୟ ସରକାରଙ୍କର ବୋଲି କୋର୍ଟ କହିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହିଁ କବୀର ମସଜିଦର ନିଅଁ ରଖିଥିଲେ । ଆମେ ହାଇକୋର୍ଟଙ୍କ ଆଦେଶ ପାଳନ କରିବୁ ବୋଲି ସେ କହିଛନ୍ତି । ୨୫ ବିଘା ଜମିରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିପାଇଁ ୧୫୦ ଫୁଟ ଲମ୍ବା ଓ ୮୦ ଫୁଟ୍ ଚଉଡାର ମଞ୍ଚ ପ୍ରସ୍ତୁତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଉଦି ଆରବର ଧାର୍ମିକ ନେତା ଆସିଥିଲେ ।

Spread the love