ରାଜ୍ୟର ଏକାଧିକ କୋର୍ଟକୁ ବୋମା ଧମକ, ଅଜ୍ଞାତ ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ଇ-ମେଲ୍
କଟକ / ସମ୍ବଲପୁର : କଟକ, ସମ୍ବଲପୁର ଓ ଦେବଗଡ଼ କୋର୍ଟକୁ ବୋମା ଧମକ। ହାଇ ଆଲର୍ଟରେ ପୋଲିସ । କଟକ , ଦେବଗଡ଼ ଏବଂ ସମ୍ବଲପୁରର ଜିଲ୍ଲ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଛି। ସୁରକ୍ଷା ସଂସ୍ଥାଗୁଡ଼ିକୁ ସତର୍କ କରାଯାଇଥିବା ବେଳେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଇମେଲ୍ ମାଧ୍ୟମରେ ଜିଲ୍ଲା ଅଦାଲତ ଗୁଡ଼ିକୁ ଏକ ବେନାମୀ ଇମେଲ୍ ମାଧ୍ୟମରେ ଧମକପୂର୍ଣ୍ଣ ମେଲ ମିଳିଥିଲା । ଏହା ଜଣାପଡ଼ିବା ପରେ କୋର୍ଟ କର୍ତ୍ତୃପକ୍ଷ ତୁରନ୍ତ ସ୍ଥାନୀୟ ପୋଲିସକୁ ଜଣାଇଥିଲେ।
ଖବର ପାଇ ପୋଲିସ ଟିମ୍, ବୋମା ନିଷ୍କ୍ରିୟକାରୀ ଦଳ (Bomb Disposal Squad) ଏବଂ ସ୍ନିଫର୍ ଡଗ୍ (Dog Squad) କୋର୍ଟ ପରିସରରେ ପହଞ୍ଚି ଛାନବିନ୍ ଆରମ୍ଭ କରିଛନ୍ତି । ପୂରା କୋର୍ଟ ବିଲ୍ଡିଂକୁ ଖାଲି କରିଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ କୋର୍ଟର ସମସ୍ତ କାର୍ଯ୍ୟକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଛି । କୋର୍ଟ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ଇମେଲକୁ କିଏ ପଠାଇଛି ଓ କେଉଁଠାରୁ ଆସିଛି ତାର ଖୋଳତାଡ଼ କରୁଛି ସାଇବର ଟିମ୍ ।
