ରୋଜଗାରିଆ ପୁଅର ମୃତ୍ୟୁ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜଳେଶ୍ବର: ମୋବାଇଲରେ ପୁଅର ଫଟୋକୁ ଦେଖି ବାହୁନି ବାହୁନି କାନ୍ଦୁଛି ମା, ବାପା । ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ । ସାହି ପଡିଶା ଠୁ ଆରମ୍ଭ କରି ବନ୍ଧୁ ବାନ୍ଧବ ପର୍ଯ୍ଯନ୍ତ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଚାରିଆଡେ ଶୋକାକୁଳ ପରିବେଶ । ସତେ ଯେମିତି ଏହି ପରିବାର ଉପରେ ଦୁଃଖର କଳା ବାଦଲଟା ଛିଡି ପଡିଛି । ପୁଅ ତୁ ଫେରିଆ ପୁଅ ତୁ ଫେରିଆ ଏମିତି କେତେ କଥା କହି କାନ୍ଦି କାନ୍ଦି ଚେତାଶୂନ୍ଯ ହୋଇଯାଉଛି ମା ।

ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ରସଲପୁର ଗାଁର ବାସିନ୍ଦା ହେଉଛନ୍ତି ରମାକାନ୍ତ ବେହେରା । ନିଜର ଜମିବାଡି କିଛି ନଥିବାରୁ ପର ଘରେ ମୂଲ ଲାଗି ଯାହା କିଛି ଆଣନ୍ତି ସେଥିରେ ତେଲ ଲୁଣର ସଂସାର କଷ୍ଟେମଷ୍ଟେ ଚଳେଇ ନିଅନ୍ତି । ପରିବାର କହିଲେ ସ୍ତ୍ରୀ ଦୁଇ ପୁଅ ଏବଂ ଝିଅ । ସାନ ପୁଅ ପ୍ରଦୀପ ଆଇ ଟି ଆଇ ପାସ କରିବା ପରେ ଘରର ଆର୍ଥିକ ପରିସ୍ଥିତି ଦେଖି ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ ଦାଦାନ ଶ୍ରମିକ ଭାବରେ କାର୍ଯ୍ଯ କରୁଥିଲେ । ଯାହା କିଛି ରୋଜଗାର କରୁଥିଲେ ଘରକୁ ପଇସା ପଠାଉଥିଲେ । ସେଥିରେ କଷ୍ଟେ ମଷ୍ଟେ ପରିବାର ଚଳୁଥିଲା । ତେବେ ହଠାତ ହାଇଦ୍ରାବାଦରୁ ଫୋନ୍ ଆସିଲା ପ୍ରଦୀପର ମୃତ୍ଯୁ ହୋଇଯାଇଛି । ଏକଥା ଶୁଣିବା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଛି । ମା କାନ୍ଦି କାନ୍ଦି ଚେତାଶୂନ୍ଯ ହୋଇ ଯାଉଥିବା ବେଳେ ବୁଢା ବାପାଙ୍କ ଆଖିରୁ ଲୁହ ଶୁଖୁନି ।

ଘରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଘରେ ଚୂଲି ଜଳୁନି, ନଖାଇ ନପିଇ ଭୋକ ଉପାସରେ ଦିନ କାଟୁଛନ୍ତି ବୁଢା ବାପା ମା । ଯିଏ ପରିଣତ ବୟସରେ ବାପା ମା ଙ୍କୁ ପ୍ରତିପୋଷଣ କରିଥାନ୍ତା ତାର ଏଭଳି ମୃତ୍ୟୁରେ ସ୍ତବ୍ଧ ହୋଇ ଯାଇଛନ୍ତି ସମସ୍ତେ । ପୁଅର ଶବକୁ ଟିକେ ଦେଖିବା ପାଇଁ ବାପା ମା ପାଗଳପ୍ରାୟ ହୋଇ ଯାଉଛନ୍ତି । ତେବେ ଏହା ଏକ ହତ୍ଯାକାଣ୍ତ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ପୁଅର ମରଶରୀରକୁ ଘରକୁ ଫେରାଇ ଆଣିବା ସହ ପ୍ରଦୀପଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଗରିବ ପରିବାର ହୋଇଥିବାରୁ ସରକାରଙ୍କ ତରଫରୁ କ୍ଷତିପୂରଣ ପାଇଁ ଗୁହାରୀ କରିଛନ୍ତି ପରିବାର ଲୋକେ ।

Spread the love