ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା ଅଭିଯୋଗ ଆଣିଲେ ପତ୍ନୀ
ଭୁବନେଶ୍ୱର : ବଡ଼ ଘର ବଡ଼ ଗୁମର କଥା । OSDMA ରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ପତ୍ନୀଙ୍କ ଅଭିଯୋଗ । ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାର୍ଥକଙ୍କ ପତ୍ନୀ ଅର୍ଚ୍ଚନା ଦାସ । ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା । ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱହୀନତା, ଇଛାକୃତ ଭାବରେ ପରିତ୍ୟାଗ କରିବା ଓ ମାନସିକ ନିର୍ଯାତନା ଦେବା ଅଭିଯୋଗ କରିଛନ୍ତି । ଅଭିଯୋଗକାରିଣୀ ଅର୍ଚ୍ଚନା ଦାସ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି। ଉଭୟ ଅର୍ଚ୍ଚନା ଓ ସୌରଭଙ୍କ ଘର ଭୁବନେଶ୍ୱର ।
ଅର୍ଚ୍ଚନାଙ୍କ ଅଭିଯୋଗ ଅନୁସାରେ, ପରିବାରର ସହମତିରେ ଉଭୟଙ୍କ ବାହାଘର ହୋଇଥିଲା । କିନ୍ତୁ ବାହାଘରର କିଛି ମାସ ପରେ ତାଙ୍କୁ ଶାଶୁ ଘର ପରିବାର ପକ୍ଷରୁ ନିର୍ଯାତନା ଦିଆଯାଉଥିଲା । ଏପରିକି ହସ୍ପିଟାଲ ବେଡ଼ରେ ନବଜାତ ଶିଶୁ ଓ ତାଙ୍କୁ ଛାଡି ଚାଲିଯାଇଥିଲେ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର । ଶେଷରେ ନିଜେ ହସ୍ପିଟାଲରୁ ଡିସଚାର୍ଜ ହୋଇ ସେ ଘରକୁ ଆସିଥିଲେ। ଶିଶୁକୁ ୩ ମାସ ହୋଇଯାଇଥିଲେ ବି ତାକୁ କିମ୍ବା ପତ୍ନୀଙ୍କୁ ଦେଖା କରୁନଥିବା ସହ କୌଣସି ସହଯୋଗ କରୁନାହାନ୍ତି ବୋଲି ମହିଳା ଥାନାରେ ଅଭିଯୋଗ କରିଛନ୍ତି ଅର୍ଚ୍ଚନା ।
