୩,୭୯୩.୩୩ କୋଟିର ପୁଞ୍ଜିନିବେଶକୁ ସରକାରୀ ମଞ୍ଜୁରୀ, ୧୪ଟି ଜିଲ୍ଲାରେ ସ୍ଥାପନ ହେବ ୨୪ଟି ଶିଳ୍ପ ପ୍ରକଳ୍ପ
ଭୁବନେଶ୍ବର: ଓଡ଼ିଶାରେ ୩ ହଜାର ୭୯୩ କୋଟି ୩୩ ଲକ୍ଷର ପୁଞ୍ଜିନିବେଶ ପ୍ରସ୍ତାବକୁ ସରକାରୀ ମଞ୍ଜୁରୀ । ୧୪ଟି ଜିଲ୍ଲାରେ ସ୍ଥାପନ ହେବ ୨୪ଟି ଶିଳ୍ପ ପ୍ରକଳ୍ପ । ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି । ରାଜ୍ୟରେ ଶିଳ୍ପ ବିକାଶ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ନିମନ୍ତେ ଓଡ଼ିଶା ସରକାର ୨୪ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟର ୧୪ଟି ଜିଲ୍ଲାରେ ମୋଟ ୩ ହଜାର ୭୯୩ କୋଟି ୩୩ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ । ୧୯ ହଜାର ୯୨୪ ଜଣଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୭ତମ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି (SLSWCA) ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ଅକ୍ଷୟ ଶକ୍ତି, ଉନ୍ନତ ଉତ୍ପାଦନ, ବସ୍ତ୍ର ଶିଳ୍ପ, ପର୍ଯ୍ୟଟନ ଓ ଆତିଥେୟତା, ଇସ୍ପାତ ଓ ଧାତୁ, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରାହକ ସାମଗ୍ରୀ, ଲଜିଷ୍ଟିକ୍ସ ଏବଂ ନୂତନ ପ୍ରଦ୍ୟୋଗିକ ବିଦ୍ୟା ଆଦି କ୍ଷେତ୍ର ସହ ଜଡ଼ିତ ।
ପ୍ରମୁଖ ପ୍ରକଳ୍ପ ନନ୍ଦରାଜ ଟେକ୍ସଟାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୧୬୮ କୋଟି ୬୪ ଲକ୍ଷ ନିବେଶରେ ଏକ ପୋଷାକ ତିଆରି କାରଖାନା ପ୍ରତିଷ୍ଠା ହେବ । ଯାହା ସର୍ବାଧିକ ୧୦,୩୦୬ ଜଣଙ୍କୁ ନିଯୁକ୍ତି ଦେବ । ସିଇଏସସି ଗ୍ରୀନ ପାୱାର ଲିମିଟେଡ୍ ଢେଙ୍କାନାଳରେ ୬୮୩ କୋଟି ୮୩ ଲକ୍ଷ ବ୍ୟୟରେ ଏକ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ (BESS) ସ୍ଥାପନ କରାଯିବ । ଏଭିପି ଷ୍ଟାର ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୫୦୦ କୋଟି ନିବେଶରେ ଲାବୋରେଟୋରୀ ନିର୍ମିତ ହୀରା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବ। ଏଠାରେ ୫୦୦ ଜଣଙ୍କୁ ନିଯୁକ୍ତି ମିଳିବ ।
ସେହିଭଳି ହିନ୍ଦୁସ୍ତାନ କୋକାକୋଲା ବେଭରେଜେସ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧା ସ୍ଥିତ ଏହାର କୋଲ୍ଡ ଡ୍ରିଙ୍କସ୍ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ୩୦୦ କୋଟି ନିବେଶ କରାଯିବ । ଏଠାରେ ୯୯୦ ଜଣଙ୍କୁ ନିଯୁକ୍ତି ମିଳିବ। ଜେଏସଡବ୍ଲ୍ୟୁ ସେଭରଫିଲ୍ଡସ ଷ୍ଟ୍ରକଚର୍ସ ଲିମିଟେଡ୍ ଯାଜପୁରରେ ୨୧୫ କୋଟି ବ୍ୟୟରେ ଇସ୍ପାତ ଫ୍ୟାବ୍ରିକେସନ ୟୁନିଟ୍ ପ୍ରତିଷ୍ଠା କରିବ । ୧,୪୦୦ ଜଣଙ୍କୁ ନିଯୁକ୍ତି ମିଳିବ । କୋଶଳ ସେରାମିକ୍ସ ପ୍ରାଇଭେଟ୍ ଲିମିଟେଡ୍ ଝାରସୁଗୁଡ଼ା ସ୍ଥିତ ଶିଳ୍ପ କେନ୍ଦ୍ରର ସମ୍ପ୍ରସାରଣ ପାଇଁ ୨୭୫.୦୭ କୋଟି ନିବେଶ କରିବ । ୧,୦୦୦ ଜଣଙ୍କୁ ନିଯୁକ୍ତି ମିଳିବ । ଏହି ବୈଠକରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ କେତେକ ପ୍ରିମିୟମ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଛି । ଏଥିମଧ୍ୟରେ ସ୍ୱସ୍ତି ପ୍ରିମିୟମ ଲିମିଟେଡ୍ ପକ୍ଷରୁ କୋରାପୁଟଠାରେ ୨୫୦ କୋଟି ବ୍ୟୟରେ ଏକ ପଞ୍ଚ ତାରକା ରିସୋର୍ଟ ନିର୍ମାଣ କରାଯିବ । ଯାହା ଦ୍ୱାରା ୪୮୦ ଜଣ ସିଧାସଳଖ ନିଯୁକ୍ତି ପାଇବେ ।
ଏହା ବ୍ୟତୀତ ଏସଏନଏମ ହୋଟେଲ ଆଣ୍ଡ ରିସୋର୍ଟସ, ଶ୍ରୀ ଇକୋ ରିସୋର୍ଟସ, ଶୈଳବାଳା ଇନଫ୍ରାଷ୍ଟ୍ରକଚର, ସୂର୍ଯ୍ୟ ଉଦ୍ୟୋଗ, ପ୍ରତ୍ୟକ୍ଷ ହୋଟେଲ, ଲହର ଏକ୍ସପୋର୍ଟସ ଏବଂ ପ୍ରାଚୀ ଏଣ୍ଟରପ୍ରାଇଜେସ ପକ୍ଷରୁ କୋରାପୁଟ, କେନ୍ଦୁଝର, ପୁରୀ, ଜଗତସିଂହପୁର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ପ୍ରକଳ୍ପମାନ ସ୍ଥାପନ କରାଯିବ । ଏହା ସହିତ ଖୋର୍ଦ୍ଧା, ସମ୍ବଲପୁର, ବଲାଙ୍ଗୀର ଓ କଟକ ଆଦି ଜିଲ୍ଲାରେ ଇଭି (EV) ପାର୍ଟସ, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରାହକ ସାମଗ୍ରୀ, ପ୍ରସ୍ତୁତ ପୋଷାକ ଏବଂ ଲଜିଷ୍ଟିକ୍ସ ଓ ୱେୟାରହାଉସିଂ କ୍ଷେତ୍ରରେ ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକୁ ମଧ୍ୟ ସ୍ୱୀକୃତି ପ୍ରଦାନ କରାଯାଇଛି ।
