ଆଖି ବୁଜିଲେ ପୋଡ଼ିଯାଇଥିବା ଯୁବତୀ, ପୂର୍ବତନ ପ୍ରେମିକ ଗିରଫ
ଭୁବନେଶ୍ବର: ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ ଦେହରେ ନିଆଁ ଲଗାଇଥିବା ଯୁବତୀଙ୍କ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରରେ ସ୍ଥିତ ଏମ୍ସରେ ଯୁବତୀଙ୍କ ମୃତ୍ୟୁ ହୋଇଛି । ୯୦ ପ୍ରତିଶତ ପୋଡ଼ିଯାଇଥିବା ଯୁବତୀ ଗତକାଲି ରାତିରେ ଆଖି ବୁଜିଛନ୍ତି । ଏହି ଘଟଣାରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ପୂର୍ବତନ ପ୍ରେମିକ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ଅଭିଯୁକ୍ତଙ୍କ ଘର ଅନୁଗୁଳ ଜିଲ୍ଲା ଗୋପାଳପ୍ରସାଦ ଥାନା କଳମଛୁଇଁ ଗାଁରେ। ଯୁବତୀଙ୍କ ସହ ସୌମ୍ୟରଞ୍ଜନଙ୍କର ପୂର୍ବରୁ ପ୍ରେମ ସମ୍ପର୍କ ଥିଲା । ପ୍ରାୟ ଏକ ବର୍ଷ ତଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିଥିଲା ।
ଅନ୍ୟପଟେ ଏମ୍ସରେ ଯୁବତୀଙ୍କ ମୃତ୍ୟୁ ପରେ ପୋଲିସ ଉପସ୍ଥିତିରେ ପରିବାର ଓ ସମ୍ପର୍କୀୟଙ୍କ ସାମ୍ନାରେ ମୃତଦେହର ଇନକ୍ୱେଷ୍ଟ କରାଯାଇଥିଲା । ଡାକ୍ତରୀ ଟିମ୍ ପୋଷ୍ଟମର୍ଟମ କରିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସିସିଟିଭି ଫୁଟେଜ୍, ସାକ୍ଷୀଙ୍କ ବୟାନ, ଯୁବତୀଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ବୈଷୟିକ ତଥ୍ୟ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ସୌମ୍ୟରଞ୍ଜନଙ୍କୁ ଗିରଫ କରିଛି । ବିଏନ୍ ଏସ୍ ର ଧାରା ୧୦୮ ଅନୁଯାୟୀ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
