ବାତ୍ୟା ଅକଭାନ ଉଜାଡ଼ିଲା ଧାନ ଫସଲ! ରାଜନଗରରେ ୧୦ ହଜାର ହେକ୍ଟର ଜମି ଜଳମଗ୍ନ
ବାତ୍ୟା ଅକଭାନର ପ୍ରଭାବରେ ଚାଷୀଙ୍କ ମୁଣ୍ଡରେ ଚଡ଼କ । ଅମଳ ସମୟରେ ଧାନ ଫସଲକୁ ଉଜାଡ଼ି ଦେଇଛି ପ୍ରକୃତିର କୋପ । ଦିନେ ଯେଉଁ ଚାଷ ଜମିରେ ସୁନାର ଫସଲ ହସୁଥିଲା, ଆଜି ସେହି ଜମିରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ଚାରିଆଡ଼େ ଜଳମଗ୍ନ ଚାଷ ଜମି । ଆଉ ଏହାକୁ ଦେଖି ଚିନ୍ତାରେ ପଡ଼ିଛି ଚାଷୀକୁଳ । ବାତ୍ୟା ଅକଭାନର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳରେ ତୁହାକୁ ତୁହା ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁଁ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇପଡ଼ିଛି । ଧାନ ଗଛ ପାଣିରେ ବୁଡ଼ି ରହିଥିବାରୁ ଫସଲ ପଚିଯିବାର ଆଶଙ୍କା ଦେଖାଦେଇଛି । ଯାହା ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।
ସବୁଠାରୁ ବଡ଼ କଥା ହେଉଛି, ରାଜନଗର ଅଞ୍ଚଳର ପ୍ରାୟ ୧୦ ହଜାର ହେକ୍ଟର ଚାଷ ଜମି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ଚାଷୀ । ଅନେକ ଚାଷୀ ଧାରକରଜ କରି, ଋଣ ଆଣି ଚାଷ କରିଥିଲେ । ଭଲ ଅମଳ ହେବ ଏବଂ ଧାନ ବିକ୍ରି କରି ଋଣ ସୁଝିବେ ବୋଲି ଆଶା ରଖିଥିଲେ । କିନ୍ତୁ ଏବେ ସେହି ଆଶା ଉପରେ ପାଣି ଫେରାଇ ଦେଇଛି ବାତ୍ୟାଜନିତ ବର୍ଷା ।
ଏଭଳି ସ୍ଥିତିରେ ଚାଷୀଙ୍କୁ କେମିତି ମିଳିବ କ୍ଷତିପୂରଣ? କ୍ଷତିଗ୍ରସ୍ତ ଜମିର ସଠିକ୍ ଆକଳନ କେବେ ହେବ? ସରକାରୀ ସହାୟତା କେବେ ମିଳିବ? ଏବେ ଏହି ପ୍ରଶ୍ନ ଚାଷୀଙ୍କ ମନରେ ।
