ଆସମରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୫
ନୂଆଦିଲ୍ଲୀ : ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଅକ୍ଟୋବର ୬ ତାରିଖ ଭୋରୁ ଆସାମର ନଗାଓଁ ଜିଲ୍ଲାରେ ୪.୫ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି । ଭାରତୀୟ ସମୟ ଅନୁସାରେ ଭୋର ୪ଟା ୨୩ ମିନିଟ୍ ୪୭ ସେକେଣ୍ଡରେ ଏହି ଭୂକମ୍ପ ହୋଇଥିଲା । ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ୩୩ କିଲୋମିଟର ତଳେ ଥିଲା । NCS ଅନୁସାରେ, ଏହାର କେନ୍ଦ୍ରସ୍ଥଳ ୨୬.୪୨୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୯୩.୦୬୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଥିଲା ।
NCS ଏକ୍ସ (X)ରେ ସୂଚନା ଦେଇ କହିଛି ଯେ, ୬ ଅକ୍ଟୋବର ୨୦୨୬ ଭୋର ୪ଟା ୨୩ ମିନିଟ୍ ୪୭ ସେକେଣ୍ଡରେ ନଗାଓଁ, ଆସାମରେ ୪.୫ ତୀବ୍ରତାର ଭୂକମ୍ପ ହୋଇଛି । ଏନେଇ ଅଧିକ ତଥ୍ୟ ପାଇଁ NCS ପକ୍ଷରୁ ‘BhooKamp’ ଆପର ଲିଙ୍କ ମଧ୍ୟ ସେୟାର କରାଯାଇଛି । ତେବେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇଛି କି ନାହିଁ, ସେନେଇ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ମିଳିନାହିଁ । ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି ।
ଏଥିସହ ଜାଣିରଖନ୍ତୁ ଯେ, ଏହାର ଏକ ଦିନ ପୂର୍ବରୁ, ଅକ୍ଟୋବର ୫ ତାରିଖ ରାତିରେ ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ୨.୫ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା । NCS ଅନୁସାରେ, ରାତି ୧୧ଟା ୪୮ ମିନିଟ୍ ୩୫ ସେକେଣ୍ଡରେ ଏହି ଭୂକମ୍ପ ହୋଇଥିଲା । ଏହାର ଗଭୀରତା ଭୂପୃଷ୍ଠରୁ ମାତ୍ର ୯ କିଲୋମିଟର ତଳେ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୩୧.୬୧୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୬.୩୦୧ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଥିଲା ।
NCS ଅନୁସାରେ, ଉନାରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ୨.୫ ଥିବା ବେଳେ ଏହାର ଗଭୀରତା ୯ କିଲୋମିଟର ଥିଲା । ଏହି ଭୂକମ୍ପରେ ମଧ୍ୟ କୌଣସି ଜୀବନହାନି କିମ୍ବା କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିନାହିଁ । ଘଟଣା ସମ୍ପର୍କିତ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି ।
