ଏୟାରଷ୍ଟ୍ରାଇକରେ ଥରହର ତେହେରାନ, ୧୦ ଇରାନ ସୁରକ୍ଷାକର୍ମୀ ମୃତ
ନୂଆଦିଲ୍ଲୀ : ଇରାନ ଉପରେ ଆମେରିକା-ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ । ବଡ଼ ଧରଣର ଏୟାରଷ୍ଟ୍ରାଇକରେ ଥରହର ତେହେରାନ । ଇରାନର ସବୁ ଯୁଦ୍ଧ ଜାହାଜକୁ ବୁଡ଼ାଇ ଦେଲା ଆମେରିକା । ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନର ରାଜଧାନୀ ତେହେରାନ ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି । ଏଥିରେ ସୁରକ୍ଷା ବାହିନୀର ଅତିକମରେ ୧୦ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି । ଇରାନର ଶକ୍ତିଶାଳୀ ସେନା ‘IRGC’ ର ଗୁପ୍ତଚର ବିଭାଗ ଏବଂ କୁର୍ଦ୍ଦିସ୍ତାନ ଅଞ୍ଚଳରେ ଥିବା ସାମରିକ ଘାଟିଗୁଡ଼ିକୁ ରକେଟ ମାଡ଼ କରି ଧ୍ୱଂସ କରାଯାଇଛି । ଲେବାନନର ବେରୁତ ସହରରେ ଥିବା ହିଜବୁଲ୍ଲା ସଙ୍ଗଠନର ମୁଖ୍ୟ କାର୍ଯ୍ୟାଳୟ ଉପରେ ଇସ୍ରାଏଲ ବୋମାମାଡ଼ କରିଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଇସ୍ରାଏଲର ଆକ୍ରମଣ ଯୋଗୁଁ ଇରାନର ଦୁଇ-ତୃତୀୟାଂଶ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ନଷ୍ଟ ହୋଇଯାଇଛି । ଏହି କାରଣରୁ ଇରାନ ଏବେ ବଡ଼ ଧରଣର ପାଲଟା ଆକ୍ରମଣ କରିବାକୁ ଅସମର୍ଥ ହେଉଛି ।
ଅନ୍ୟପଟେ ସମୁଦ୍ର ପଥରେ ଇରାନର ଯୁଦ୍ଧ ଜାହାଜ ଏବଂ ଡ୍ରୋନ୍ ସ୍ମଗଲିଂ କରୁଥିବା ବୋଟ୍ ଗୁଡ଼ିକୁ ଆମେରିକା ପୋଡ଼ି ପାଉଁଶ କରିଦେଇଛି । ଇରାନ ସମୁଦ୍ରରେ ବିସ୍ଫୋରକ ବିଛାଇ ବାଣିଜ୍ୟ ପଥ ବନ୍ଦ କରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ଆମେରିକା ସେନା ସେହି ସବୁ ଜାହାଜକୁ ବୁଡ଼ାଇ ଦେଇଛି । ଆମେରିକା ଅଧିକାରୀଙ୍କ ଅନୁସାରେ, ଏପର୍ଯ୍ୟନ୍ତ ଇରାନର ୫ ହଜାର ୫୦୦ ରୁ ଅଧିକ ସାମରିକ ଘାଟି ଉପରେ ସଫଳତାର ସହ ଆକ୍ରମଣ କରାଯାଇଛି । ଇରାନ ପକ୍ଷରୁ ମରାଯାଇଥିବା ଅନେକ ମିସାଇଲକୁ ଆକାଶରେ ନଷ୍ଟ କରିଦେଇଛନ୍ତି ଆମେରିକା ଓ ଇସ୍ରାଏଲ । ତଥାପି ଏଥିରେ ୧୭୯ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ପରମାଣୁ କେନ୍ଦ୍ର ଉପରେ ନୂଆ କରି ଆକ୍ରମଣ ହୋଇନାହିଁ । ବରଂ ଇରାନର ସେନା ନେତୃତ୍ୱକୁ ଦୁର୍ବଳ କରିବା ପାଇଁ ଅପରେସନ ଚାଲିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନର ସେନା, ରାଡାର ଏବଂ ନେତୃତ୍ୱକୁ ଆମେରିକା ସମ୍ପୂର୍ଣ୍ଣ ରୂପେ ଦବାଇ ଦେଇଛି । ଇରାନ ଏବେ ଯୁଦ୍ଧରେ ବହୁତ ପଛରେ ପଡ଼ିଯାଇଛି ।
