କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ୫,୦୫୩ ପୃଷ୍ଠାର ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ତଥ୍ୟ
ମହାରାଷ୍ଟ୍ରର ପୁଣେର ଚର୍ଚ୍ଚିତ ଲୋହଗଡ଼ କିଲ୍ଲାରେ କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାରେ ପୁଲିସ ୫,୦୫୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଚାର୍ଜସିଟ୍ରେ ହତ୍ୟା ଘଟଣା ସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ତଦନ୍ତରୁ ଜଣାପଡ଼ିଛି ଯେ, କେତନଙ୍କୁ ହତ୍ୟା କରିବା ପୂର୍ବରୁ ଅଭିଯୁକ୍ତ ସିୟା ଗୋୟଲ ହତ୍ୟା ସମ୍ପର୍କିତ ସୂଚନା ପାଇଁ ChatGPT ବ୍ୟବହାର କରିଥିବା ସହ ଫିଲ୍ମ ଓ ପଡ୍କାଷ୍ଟ ମଧ୍ୟ ଦେଖିଥିବା ଓ ଶୁଣିଥିବା ପୁଲିସ ଦାବି କରିଛି ।
ଏହା ସହିତ ପୁଲିସ ଏବେ ସିୟା ଗୋୟଲ ଓ ଚେତନ ଚୌଧୁରୀଙ୍କ ଗୁପ୍ତ ବିବାହର ମଧ୍ୟ ତଦନ୍ତ କରୁଛି । ପୁଲିସର ସନ୍ଦେହ ଅନୁସାରେ, ଦୁହେଁ ୨୦୨୫ ଡିସେମ୍ବରରେ ରାଜସ୍ଥାନର ଖାଟୁ ଶ୍ୟାମ ମନ୍ଦିରରେ ଗୁପ୍ତ ଭାବେ ବିବାହ କରିଥାଇପାରନ୍ତି । ଏହି ବିବାହର ସତ୍ୟତା ଯାଞ୍ଚ ଓ ପ୍ରମାଣ ସଂଗ୍ରହ ପାଇଁ ପୁଣେ ଗ୍ରାମୀଣ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଜୁଲାଇରେ ରାଜସ୍ଥାନ ଯାଇଥିଲା । ତେବେ ଏପର୍ଯ୍ୟନ୍ତ ମନ୍ଦିରର କୌଣସି ଅଧିକାରିକ ବିବାହ ରେକର୍ଡ କିମ୍ବା CCTV ଫୁଟେଜ୍ରୁ ଏହି ବିବାହ ନିଶ୍ଚିତ ହୋଇନାହିଁ । ତଦନ୍ତ ସମୟରେ ପୁଲିସ ସିୟା ଓ ଚେତନଙ୍କ ଏକ ଫଟୋ ମଧ୍ୟ ପାଇଛି, ଯେଉଁଥିରେ ଦୁହେଁ ଫୁଲମାଳ ପିନ୍ଧିଥିବା ଦେଖାଯାଉଛନ୍ତି । ପୁଲିସ ସୂତ୍ର ଅନୁସାରେ, ଏହି ଫଟୋକୁ ମଧ୍ୟ ଚାର୍ଜସିଟ୍ରେ ପ୍ରମାଣ ଭାବେ ସାମିଲ କରାଯାଇଛି ।
କେତନ ଅଗ୍ରୱାଲଙ୍କୁ ଜୁନ୍ ୧୮ ତାରିଖରେ ତାଙ୍କ ମଙ୍ଗେତର ସିୟା ଗୋୟଲ ଲୋହଗଡ଼ କିଲ୍ଲାରୁ ଧକ୍କା ଦେଇଥିବା ଅଭିଯୋଗ ହୋଇଥିଲା । ଏଥିରେ ତାଙ୍କ କଥିତ ପ୍ରେମିକ ଚେତନ ଚୌଧୁରୀ ଓ ଅନ୍ୟ ଅଭିଯୁକ୍ତ ରିତେଶ ହାଙ୍ଗେ ସହଯୋଗ କରିଥିବା ପୁଲିସ ଅଭିଯୋଗ କରିଛି । ତିନିଜଣଙ୍କୁ ପୁଲିସ ଗିରଫ କରିଛି । ଚାର୍ଜସିଟ୍ ଅନୁସାରେ, କେତନଙ୍କୁ ପ୍ରଥମେ ମାରପିଟ୍ କରି ଗୁରୁତର ଆହତ କରିବାର ଯୋଜନା କରାଯାଇଥିଲା । ଏଥିପାଇଁ ବାହାରୁ ଜଣେ ବ୍ୟକ୍ତିଙ୍କୁ ଟଙ୍କା ଦେଇ ଆକ୍ରମଣ କରାଇବା ନେଇ ମଧ୍ୟ ଆଲୋଚନା ହୋଇଥିଲା । କିନ୍ତୁ ପରେ ଏହି ଯୋଜନା ବାତିଲ କରାଯାଇଥିଲା। କାରଣ, ଭାଡ଼ାରେ ଆଣାଯାଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ପ୍ରଘଟ କରିଦେବାର ଭୟ ଥିଲା । ତଦନ୍ତରେ ଏହି ବ୍ୟକ୍ତିଙ୍କୁ ପୁଲିସ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ କରିଥିବା ଜଣାପଡ଼ିଛି ।
ହତ୍ୟା ପୂର୍ବରୁ ChatGPTରେ ସର୍ଚ୍ଚ
ଚାର୍ଜସିଟ୍ରେ ପୁଲିସ ଦାବି କରିଛି ଯେ, କେତନଙ୍କୁ ହତ୍ୟା କରିବା ପୂର୍ବରୁ ଅଭିଯୁକ୍ତମାନେ ହତ୍ୟା ସମ୍ପର୍କିତ ଫିଲ୍ମ ଦେଖିଥିଲେ । ଏହାସହ ହତ୍ୟା ସମ୍ପର୍କରେ ChatGPTରେ ସର୍ଚ୍ଚ କରିଥିବା ଏବଂ ପୁଲିସଠାରୁ କିପରି ବର୍ତ୍ତିହେବେ ସେନେଇ ପଡ୍କାଷ୍ଟ ଶୁଣିଥିବା ତଥ୍ୟ ମଧ୍ୟ ମୋବାଇଲ୍ ଫୋନ୍ରୁ ମିଳିଥିବା ପୁଲିସ କହିଛି । ତଦନ୍ତକାରୀଙ୍କ ଅନୁସାରେ, ସିୟା ଗୋୟଲ ଓ ତାଙ୍କ ସହଯୋଗୀମାନେ ସୋନମ ରଘୁବଂଶୀ ମାମଲା ସମ୍ପର୍କରେ ମଧ୍ୟ ଇଣ୍ଟରନେଟ୍ରେ ସର୍ଚ୍ଚ କରିଥିଲେ । ହନିମୁନ୍ ସମୟରେ ସ୍ୱାମୀ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ସୋନମଙ୍କ ଉପରେ କିପରି ସନ୍ଦେହ ଯାଇଥିଲା, ସେନେଇ ମଧ୍ୟ ସେମାନେ ଖୋଜାଖୋଜି କରିଥିବା ପୁଲିସ ଦାବି କରିଛି । ଏହି ସର୍ଚ୍ଚ ହିଷ୍ଟ୍ରି ଅଭିଯୁକ୍ତମାନଙ୍କ ମୋବାଇଲ୍ରୁ ମିଳିଥିବା କୁହାଯାଇଛି ।
ଖାଲି ସେତିକି ନୁହେଁ ଚାର୍ଜସିଟ୍ରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ରହିଛି । ତଦନ୍ତକାରୀଙ୍କ ଅନୁସାରେ, ସିୟା ଜଣେ ପରିଚିତ ମହିଳାଙ୍କ ଫଟୋ ବ୍ୟବହାର କରି ‘ମାହି’ ନାମରେ ଏକ ନକଲି ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ତିଆରି କରିଥିଲେ । ଏହି ଆକାଉଣ୍ଟରୁ କେତନଙ୍କୁ ମେସେଜ୍ ପଠାଯାଇଥିଲା । ପୁଲିସର ଦାବି ଅନୁସାରେ, ଜୁନ୍ ୧୮ ତାରିଖରେ ସିୟାଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେବା ପାଇଁ କେତନଙ୍କୁ ଲୋହଗଡ଼ ଆସିବା ଲାଗି ଏହି ଆକାଉଣ୍ଟ ମାଧ୍ୟମରେ ଉତ୍ସାହିତ କରାଯାଇଥିଲା । କେତନଙ୍କୁ ଡାକିବା ପାଇଁ ରିତେଶ ହାଙ୍ଗେଙ୍କ ଯୋଜନାର ଏହା ଏକ ଅଂଶ ଥିଲା ବୋଲି ପୁଲିସ କହିଛି । ହତ୍ୟା ପରେ ଏହି ଫେକ୍ ଆକାଉଣ୍ଟକୁ ଡିଲିଟ୍ କରାଯାଇଥିବା ମଧ୍ୟ ଚାର୍ଜସିଟ୍ରେ ଉଲ୍ଲେଖ ରହିଛି ।
ପୁଲିସ ଅନୁସାରେ, ଲୋହଗଡ଼କୁ ଏଥିପାଇଁ ବାଛାଯାଇଥିଲା ଯେ, ସେଠାରେ ପୂର୍ବରୁ ଘଟିଥିବା ଏକ ଘଟଣାକୁ ଆଧାର କରି କେତନଙ୍କ ମୃତ୍ୟୁକୁ ଦୁର୍ଘଟଣା ଭାବେ ଦର୍ଶାଇବା ସମ୍ଭବ ହୋଇପାରେ । ତାଙ୍କୁ ସେଲ୍ଫି ନେବା ସମୟରେ ତଳକୁ ଖସିପଡ଼ି ମୃତ୍ୟୁ ହୋଇଥିବା ଭଳି ଦେଖାଇବା ଯୋଜନା ଥିବା ପୁଲିସ ଦାବି କରିଛି । କିନ୍ତୁ ଏକ ଫଟୋ ଏହି ଘଟଣାର ରହସ୍ୟ ଖୋଲିଦେଇଥିବା ତଦନ୍ତରୁ ସାମ୍ନାକୁ ଆସିଛି ।
