ପେନସନ୍ ପାଇଁ ଆଉ ଅଫିସ୍ ଦୌଡ଼ିବାକୁ ପଡ଼ିବନି, ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ UPMP ପୋର୍ଟାଲ୍

ଭୁବନେଶ୍ୱର : ପେନସନ୍ ପାଇଁ ଆଉ ବାରମ୍ବାର ଅଫିସ୍ ଦୌଡ଼ିବାକୁ ପଡ଼ିବନି । ଗୋଟିଏ ପୋର୍ଟାଲ୍ ରେ ଆବେଦନଠାରୁ ଟଙ୍କା ପ୍ରଦାନ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା । ମଧୁବାବୁ ପେନସନ୍ ଯୋଜନାରେ ବଡ଼ ପଦକ୍ଷେପ। ଯୋଜନାରେ ଯୋଡ଼ିହେବେ ଆଉ ୫ ଲକ୍ଷରୁ ଅଧିକ ହିତାଧିକାରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ପୋର୍ଟାଲର ଶୁଭାରମ୍ଭ କରିବେ । ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ଓଡ଼ିଶା ସରକାର । ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେବେ ଆଉ ୫ ଲକ୍ଷ ୫ ହଜାର ୮୧୭ ଯୋଗ୍ୟ ହିତାଧିକାରୀ । ଦୀର୍ଘଦିନ ଧରି ପେନସନ୍ ଅପେକ୍ଷାରେ ଥିବା ଏହି ଆବେଦନକାରୀଙ୍କୁ ଯୋଜନାରେ ସାମିଲ କରିବା ପାଇଁ ସରକାର ସାଚୁରେସନ୍ ମୋଡ୍ ରେ ଅଭିଯାନ ଆରମ୍ଭ କରିବେ । ଏଥିସହ ପେନସନ୍ ପରିଚାଳନାକୁ ସରଳ, ସ୍ୱଚ୍ଛ ଓ ତ୍ୱରିତ କରିବା ପାଇଁ ଆରମ୍ଭ ହେବ ୟୁନିଫାଏଡ୍ ପେନସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ୍ ବା UPMP ।

ବାଲେଶ୍ୱର ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପୋର୍ଟାଲ୍ ର ଶୁଭାରମ୍ଭ କରିବେ । ନୂଆ UPMP ପୋର୍ଟାଲ୍ କୁ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଅଧୀନରେ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ବା OCAC ପ୍ରସ୍ତୁତ କରିଛି । ଏହି ପୋର୍ଟାଲ୍ ରେ ମଧୁବାବୁ ପେନସନ୍ ଯୋଜନା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ବା NSAP ଏବଂ ଅନ୍ୟାନ୍ୟ ପେନସନ୍ ଯୋଜନାକୁ ଗୋଟିଏ ଡିଜିଟାଲ୍ ବ୍ୟବସ୍ଥାରେ ସଂଯୋଗ କରାଯିବ । ଆବେଦନ, ଯୋଗ୍ୟତା ଯାଞ୍ଚ, ଅନୁମୋଦନ, ପେନସନ୍ ପ୍ରଦାନ ଓ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଗୋଟିଏ ପ୍ଲାଟଫର୍ମରେ ସମ୍ପନ୍ନ ହୋଇପାରିବ । ହିତାଧିକାରୀମାନେ **upmp.odisha.gov.in** ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଆବେଦନ କରିପାରିବେ ।

ଏହାଛଡ଼ା କମନ୍ ସର୍ଭିସ୍ ସେଣ୍ଟର ଓ କ୍ଷେତ୍ରସ୍ତରୀୟ ସରକାରୀ କର୍ମଚାରୀଙ୍କ ସହାୟତାରେ ମଧ୍ୟ ଆବେଦନ କରିବାର ସୁବିଧା ରହିବ। ନୂଆ ବ୍ୟବସ୍ଥାରେ ଆଧାର ଆଧାରିତ ଇ-କେୱାଇସି ବ୍ୟବହାର କରାଯିବ । ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ନାଁ ଏକାଧିକ ଥର ତାଲିକାଭୁକ୍ତ ହୋଇଥିଲେ ତାହା ଚିହ୍ନଟ କରାଯାଇପାରିବ। ନକଲି ହିତାଧିକାରୀ ଓ ଅନିୟମିତତା ରୋକିବା ସହ ପ୍ରକୃତ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବା ଏହାର ଉଦ୍ଦେଶ୍ୟ । ପୋର୍ଟାଲ୍ କୁ UIDAI, IFMS, PFMS ଓ ଅନ୍ୟାନ୍ୟ ସରକାରୀ ଡିଜିଟାଲ୍ ବ୍ୟବସ୍ଥା ସହ ସଂଯୋଗ କରାଯିବ । ଏହାଦ୍ୱାରା ଯୋଗ୍ୟତା ଯାଞ୍ଚ ଓ ପେନସନ୍ ଅନୁମୋଦନ ପ୍ରକ୍ରିୟା ଶୀଘ୍ର ହେବା ସହ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇବା ସହଜ ହେବ। ନୂଆ ବ୍ୟବସ୍ଥାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ହେଉଛି ବୟସ ଆଧାରିତ ପେନସନ୍ ବୃଦ୍ଧି । କୌଣସି ହିତାଧିକାରୀଙ୍କ ବୟସ ୮୦ ବର୍ଷ ପୂରଣ ହେଲେ ତାଙ୍କୁ ଅଧିକ ପେନସନ୍ ପାଇଁ ପୁଣିଥରେ ଆବେଦନ କରିବାକୁ ପଡ଼ିବନି । ପରବର୍ତ୍ତୀ ମାସରୁ ସ୍ୱୟଂଚାଳିତ ଭାବେ ତାଙ୍କ ପାଇଁ ଧାର୍ଯ୍ୟ ଅଧିକ ପେନସନ୍ ଲାଗୁ ହେବ ।

ସେହିପରି ଶଯ୍ୟାଶାୟୀ ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କ ପାଇଁ ଘରେ ଯାଇ ଯାଞ୍ଚ କରିବାର ବ୍ୟବସ୍ଥା ରହିବ । ଆବେଦନକାରୀମାନେ ନିଜ ଆବେଦନର ସ୍ଥିତି, ପେନସନ୍ ଅନୁମୋଦନ ଓ ଟଙ୍କା ପ୍ରଦାନର ବିବରଣୀ ଅନଲାଇନ୍ ରେ ଦେଖିପାରିବେ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଯୋଗ୍ୟ ବ୍ୟକ୍ତିଙ୍କୁ ଅପେକ୍ଷା ତାଲିକାରେ ନରଖି ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା । ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ପୋର୍ଟାଲ୍ ର ଶୁଭାରମ୍ଭ ସହ ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ କରିବେ । କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ ଓ ଅନ୍ୟ ଜନପ୍ରତିନିଧିମାନେ ଯୋଗଦେବେ । ଏହାପରେ ପେନସନ୍ ସଚେତନତା ଅଭିଯାନ ପାଇଁ ‘ସଚେତନତା ରଥ’ର ଶୁଭାରମ୍ଭ କରାଯିବ । ରାଜ୍ୟର ବୟସ୍କ, ବିଧବା, ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ଯୋଗ୍ୟ ଅସହାୟ ବ୍ୟକ୍ତିଙ୍କୁ ସମୟୋଚିତ ପେନସନ୍ ପ୍ରଦାନ କରିବା ଏବଂ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏହି ନୂଆ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ।

Spread the love

Leave a Reply

Your email address will not be published. Required fields are marked *