ଖୁବ୍ ଶୀଘ୍ର ପୂରଣ ହେବ ପାଣ୍ଡରା ଆଧୁନିକ ହୋଲସେଲ୍ ମାଛ ବଜାର କାର୍ଯ୍ୟ:ଅପରାଜିତା

ଭୁବନେଶ୍ୱର, ୧୫।୯: ଭୁବନେଶ୍ୱର ର ମାଛ ବଜାରରେ ଆଉ ରହିବ ନାହିଁ ପୂତି ଗନ୍ଧମୟ ପରିବେଶ। ଦୂର ହେବ ୟୁନିଟ୍-୪ ର ମାଛ ବଜାରରେ ଦେଖାଯାଉଥିବା ଭିଡ ଓ ଟ୍ରାଫିକ ସମସ୍ୟା। ଆସନ୍ତା ୨୦୨୮ ମାର୍ଚ୍ଚ ଶେଷ ସୁଦ୍ଧା ପାଣ୍ଡରା ଠାରେ ପ୍ରାୟ ୫.୪ ଏକର ଜମିରେ ପାଖାପାଖି ୫୧ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ଅତ୍ୟାଧୁନିକ ମାଛ ବଜାର କାର୍ଯ୍ୟ ସମ୍ପନ୍ନ ହେବ। ଯେଉଁ ବଜାର ରେ ନିର୍ମିତ ହେଉଛି ୪୦ଟି ହୋଲସେଲ କାଉଣ୍ଟର ସମେତ ୧୦୦ଟି ପିଣ୍ଡି। ଆଜି ଉତ୍ତର ଭୁବନେଶ୍ୱରର ପାଣ୍ଡରା ଠାରେ ନିର୍ମାଣାଧୀନ ଆଧୁନିକ ହୋଲସେଲ୍ ମାଛ ବଜାର ପ୍ରକଳ୍ପର ସ୍ଥଳ ପରିଦର୍ଶନ କରିବା ପରେ ଏଭଳି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅଞ୍ଚଳ ପରିଦର୍ଶନ ପରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଧୀରେ ଧୀରେ ଆକାର ନେଉଥିବା ଦେଖିବା ନିଶ୍ଚିତ ଭାବେ ଏକ ସ୍ୱପ୍ନ ସାକାର ହେବାର ଅନୁଭୂତି ଦେଉଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଏଠାରେ ସୂଚନା ଯୋଗ୍ୟ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ସ୍ୱପ୍ନର ପ୍ରକଳ୍ପ ଭାବରେ ତାଙ୍କର ଲଗାତାର ପ୍ରୟାସ ପରେ ବି.ଏମ୍.ସି ଦ୍ୱାରା ଏହି ପ୍ରକଳ୍ପର ଟେଣ୍ଡର କରାଯାଇ ଗତ ଏପ୍ରିଲ ୨୦୨୬ ମସିହାରୁ ସାଇଟ୍ ହସ୍ତାନ୍ତର କରାଯାଇଛି। ଏପରିକି ସାଂସଦଙ୍କ ପ୍ରତ୍ୟକ୍ଷ ପ୍ରୟାସ ରେ ବି.ଏମ୍.ସି ପକ୍ଷରୁ ମାମଲା ମୁକ୍ତ ବା ଲିଟିଗେଶନ ଫ୍ରି ଜମି ହସ୍ତାନ୍ତର କାର୍ଯ୍ୟ ସମ୍ପନ୍ନ ହୋଇଛି।ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏକ ଆଧୁନିକ ହୋଲସେଲ୍ ଓ ରିଟେଲ୍ ମାଛ ବଜାର ପ୍ରତିଷ୍ଠା କରିବା ସହିତ ୟୁନିଟ୍-୪ ମାଛ ବଜାରରେ ବର୍ତ୍ତମାନ ଦେଖାଦେଉଥିବା ଭିଡ଼ ଓ ଟ୍ରାଫିକ୍ ସମସ୍ୟାର ସମାଧାନ କରିବା।

ଏହି ପରିଦର୍ଶନ ସମୟରେ ସାଂସଦ ଙ୍କ ସହ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର , ରୁଦ୍ର ନାରାୟଣ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି BMC ଅଧିକାରୀମାନଙ୍କ ସହିତ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିବା ସହ ପାଣ୍ଡରା ଗ୍ରାମବାସୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଏହି ଅବସରରେ ୩୧ ମାର୍ଚ୍ଚ ୨୦୨୮ ମଧ୍ୟରେ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ସାଂସଦ।ଏଥିସହିତ ପ୍ରକଳ୍ପଟିକୁ ନିର୍ଦ୍ଧାରିତ ସମୟରେ ଏବଂ ଉଚ୍ଚମାନର ସହ ସମ୍ପୂର୍ଣ୍ଣ ହେବା ନିଶ୍ଚିତ କରିବା ପାଇଁ ଏହାର ଅଗ୍ରଗତିକୁ ନିଜେ ନିୟମିତ ଭାବେ ନିକଟରୁ ତଦାରଖ କରିବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ନିୟୋଜିତ ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ସହଯୋଗୀମାନଙ୍କୁ ମଧ୍ୟ ଆନ୍ତରିକ କୃତଜ୍ଞତା ଜଣାଇବା ସହିତ ଭୁବନେଶ୍ୱରବାସୀଙ୍କ ପାଇଁ ଏକ ଆଧୁନିକ, ସୁସଂଗଠିତ ଏବଂ ସୁଚାରୁ ଭାବେ ପରିଚାଳିତ ମାଛ ବଜାର ନିର୍ମାଣ ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ସାଂସଦ।ଏହା ମାଧ୍ୟମରେ ମାଛ ବ୍ୟବସାୟୀମାନଙ୍କ ପାଇଁ ଉନ୍ନତ ଓ ସୁବିଧାଜନକ ବ୍ୟବସ୍ଥା ସୃଷ୍ଟି ହେବ। ଆଜିର ସ୍ଥଳ ପରିଦର୍ଶନ ସମୟରେ ବିଏମସିର ସିଟି ଇଞ୍ଜିନିୟର, ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର, ବିଏମସି ଡେପୁଟି କମିଶନର, ଜୋନାଲ୍ ଡେପୁଟି କମିଶନର (ନର୍ଥ ଜୋନ୍)ଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ମାନନୀୟା ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଣୟ କରଣଙ୍କ ସମେତ ସ୍ଥାନୀୟ ବାସିନ୍ଦା ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *