ଗନ୍ ପଏଣ୍ଟରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ବଡ଼ ସୁରାକ, ପୋଲିସ ହାତରେ ଲାଗିଛି ଅଭିଯୁକ୍ତର ସିସିଟିଭି ଫୁଟେଜ
ଭୁବନେଶ୍ୱର : ଭୁବନେଶ୍ୱର ନୟାପଲ୍ଲୀରେ ଗନପଏଣ୍ଟରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ବଡ଼ ସୁରାକ । ପୋଲିସ ହାତରେ ଲାଗିଛି ଅଭିଯୁକ୍ତର ସିସିଟିଭି ଫୁଟେଜ । ଘଟଣାସ୍ଥଳ ସହ ନିକଟବର୍ତ୍ତୀ ରାସ୍ତାର CCTV ଫୁଟେଜ ଯାଞ୍ଚରୁ ପୋଲିସ ସୁରାକ ପାଇଛି । ପୋଲିସ ତଦନ୍ତରୁ ଜଣାପଡ଼ିଛି, ପୀଡ଼ିତା ଯୁବତୀଙ୍କୁ ଦୁଷ୍କର୍ମ ପରେ ସିଆରପି ଛକକୁ ଯାଇଛି ଅଭିଯୁକ୍ତ । ଆମ ବସ୍ ଯୋଗେ ଗାଡ଼ିରେ ବସି ଫେରାର ହୋଇଥିଲା । ବାଟରେ ଏକ ବାଇକ ଚୋରି କରି ଚମ୍ପଟ ମାରିଥିବା ଜଣାପଡ଼ିଛି ।
ଏହି ମାମଲାରେ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ଚାରୋଟି ଟିମ୍ କରୁଛି ତନାଘନା ତଦନ୍ତ । ଗୋଟିଏ ଟିମ୍ ପୀଡ଼ିତାଙ୍କ୍ ଆଖପାଖ ଅଞ୍ଚଳରୁ ଯୁବକଙ୍କ ତଥ୍ୟ ସଂଗ୍ରହ କରୁଛି । ଆଖପାଖ ଅଞ୍ଚଳରେ ଅନେକ ହଷ୍ଟେଲ ଓ ପିଜି ଥିବାରୁ ଅଭିଯୁକ୍ତ ସେଠାରେ ରହୁଥିବା ସନ୍ଦେହ କରୁଛି ପୋଲିସ । ଅଭିଯୋଗ ଅନୁସାରେ, ବୁଧବାର ରାତିରେ ନ ଘଟିଥିଲା ଜଘନ୍ୟକାଣ୍ଡ । ଯୁବତୀ ତାଙ୍କ ବଡ଼ ଭଉଣୀଙ୍କ ସହ ନୟାପଲ୍ଲୀ ଅଞ୍ଚଳର ଏକ ଭଡ଼ା ଘରର ତଳ ମହଲାରେ ରହୁଥିଲେ । ଘଟଣା ସମୟରେ ଭଉଣୀ ଘରେ ନଥିଲେ। ରାତିରେ ଜଣେ ଅଜଣା ବ୍ୟକ୍ତି ଘର ଭିତରେ ଜୋର ଜବରଦସ୍ତ ପଶିଥିଲା ।
ଅଭିଯୁକ୍ତ ମୁହଁ ଢାଙ୍କିଥିବା ଏବଂ ବନ୍ଧୁକ ଦେଖାଇ ଧମକ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା । ଏବେ CCTV timeline, ‘ଆମ ବସ୍ ’ ଲିଙ୍କ୍, scientific evidence, ପୀଡ଼ିତାଙ୍କ ବୟାନ ଏବଂ ସ୍ଥାନୀୟ ଲୋକଙ୍କଠାରୁ ମିଳୁଥିବା ତଥ୍ୟ—ଏସବୁକୁ ଗୋଟିଏ ସୂତ୍ରରେ ଯୋଡ଼ିପାରିଲେ ଅଭିଯୁକ୍ତ ପାଖରେ ପହଞ୍ଚିବା ପୋଲିସ ପାଇଁ ସହଜ ହୋଇପାରେ । ଖୁବଶୀଘ୍ର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା କମିଶନରେଟ ପୋଲିସ ସୂଚନା ଦେଇଛି। ସେପଟେ ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ମହିଳା କମିଶନ । ରାଜ୍ୟ ମହିଳା କମିଶନ ଭୁବନେଶ୍ୱର ଡିସିପିଙ୍କୁ ୧୫ ଦିନ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି ।
