ଶୀତଦିନେ ବଢ଼େ ଚର୍ମ ସମସ୍ୟା ମୁହଁ ଫାଟିବାଠାରୁ ଶୁଷ୍କତା ପର୍ଯ୍ୟନ୍ତ ଜାଣନ୍ତୁ କେମିତି ନେବେ ତ୍ୱଚାର ଯତ୍ନ
ଶୀତଋତୁ ଆସିବା ମାତ୍ରେ ଚର୍ମ ସମସ୍ୟା ବଢ଼ିବାରେ ଲାଗେ। ବିଶେଷକରି ଥଣ୍ଡା ଓ ଶୁଷ୍କ ପବନ ଯୋଗୁଁ ତ୍ୱଚାରେ ଆର୍ଦ୍ରତା କମିଯାଏ। ଫଳରେ ମୁହଁ ଶୁଷ୍କ ହେବା, ଓଠ ଫାଟିବା, ହାତ ଓ ଗୋଡ଼ର ଚର୍ମ ରୁକ୍ଷ ହେବା, ଚର୍ମରେ କୁଣ୍ଡାଇ ହେବା ଏବଂ ଫାଟ ସୃଷ୍ଟି ହେବା ଭଳି ସମସ୍ୟା ଦେଖାଦିଏ। ଅନେକ ସମୟରେ ମୁହଁର ଚର୍ମ ଏତେ ଶୁଷ୍କ ହୋଇଯାଏ ଯେ ତାହା ଫାଟିବା ସହ ଜଳାପୋଡ଼ା ମଧ୍ୟ ହୋଇଥାଏ। ତେଣୁ ଶୀତଦିନେ ତ୍ୱଚାର ସ୍ୱତନ୍ତ୍ର ଯତ୍ନ ନେବା ଜରୁରୀ।
ମୁହଁର ଯତ୍ନ କେମିତି ନେବେ?
ଶୀତଦିନେ ମୁହଁ ଧୋଇବା ପାଇଁ ଅତ୍ୟଧିକ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ। ଏହା ତ୍ୱଚାର ପ୍ରାକୃତିକ ତେଲକୁ ନଷ୍ଟ କରି ଶୁଷ୍କତା ବଢ଼ାଇଥାଏ। ଏଥିପାଇଁ ହାଲୁକା ଉଷୁମ ପାଣି ଏବଂ ମୃଦୁ କ୍ଲିନ୍ଜର ବ୍ୟବହାର କରନ୍ତୁ। ମୁହଁ ଧୋଇବା ପରେ ତ୍ୱଚା ସାମାନ୍ୟ ଓଦା ଥିବାବେଳେ ମଏଶ୍ଚରାଇଜର ଲଗାନ୍ତୁ। ଏହା ଚର୍ମର ଆର୍ଦ୍ରତା ବଜାୟ ରଖିବାରେ ସହାୟକ ହୁଏ। ବାହାରକୁ ଯିବା ପୂର୍ବରୁ ଋତୁ ଯାହା ହେଉନା କାହିଁକି, SPF 30 କିମ୍ବା ତା’ଠାରୁ ଅଧିକ ସନ୍ସ୍କ୍ରିନ୍ ବ୍ୟବହାର କରିବା ଉଚିତ।
ଓଠ ଓ ହାତ-ଗୋଡ଼ର ଯତ୍ନ
ଶୀତଦିନେ ଓଠ ଫାଟିବା ଏକ ସାଧାରଣ ସମସ୍ୟା। ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ଭାବେ ଲିପ୍ ବାମ୍ କିମ୍ବା ପେଟ୍ରୋଲିୟମ୍ ଜେଲି ବ୍ୟବହାର କରନ୍ତୁ। ଓଠକୁ ବାରମ୍ବାର ଜିଭରେ ଓଦା କରନ୍ତୁ ନାହିଁ। ସେହିପରି ହାତ ଓ ଗୋଡ଼ ଧୋଇବା ପରେ ଭଲ ମଏଶ୍ଚରାଇଜର ଲଗାନ୍ତୁ। ରାତିରେ ଶୋଇବା ପୂର୍ବରୁ ପାଦରେ ଭେସଲିନ୍ ଲଗାଇ ମୋଜା ପିନ୍ଧିଲେ ଶୁଷ୍କତା ଓ ଫାଟିବା ସମସ୍ୟା କମିପାରେ।
ଖାଦ୍ୟ ଓ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ
ତ୍ୱଚାକୁ ସୁସ୍ଥ ରଖିବା ପାଇଁ କେବଳ ବାହ୍ୟ ଯତ୍ନ ନୁହେଁ, ଶରୀର ଭିତରୁ ମଧ୍ୟ ପୋଷଣ ଆବଶ୍ୟକ। ଶୀତଦିନେ ଶୋଷ କମ୍ ଲାଗୁଥିଲେ ମଧ୍ୟ ପର୍ଯ୍ୟାପ୍ତ ପାଣି ପିଅନ୍ତୁ। ଖାଦ୍ୟରେ ସବୁଜ ପନିପରିବା, ଋତୁକାଳୀନ ଫଳ, ବାଦାମ ଓ ଓମେଗା-୩ ଫ୍ୟାଟି ଏସିଡ୍ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।
ଏହି ଭୁଲ୍ କରନ୍ତୁ ନାହିଁ
ଶୀତଦିନେ ବାରମ୍ବାର ଗରମ ପାଣିରେ ଗାଧୋଇବା, ଅତ୍ୟଧିକ ସାବୁନ ବ୍ୟବହାର କରିବା ଏବଂ ଚର୍ମକୁ ଜୋରରେ ଘଷିବାରୁ ଦୂରେଇ ରୁହନ୍ତୁ। ଚର୍ମ ଫାଟି ରକ୍ତ ବାହାରିବା, ଅତ୍ୟଧିକ କୁଣ୍ଡାଇ ହେବା, ଲାଲ୍ ପଡ଼ିବା କିମ୍ବା ଦୀର୍ଘଦିନ ଧରି ସମସ୍ୟା ଲାଗି ରହିଲେ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
ସାମାନ୍ୟ ସଚେତନତା, ନିୟମିତ ମଏଶ୍ଚରାଇଜର ବ୍ୟବହାର ଓ ସନ୍ତୁଳିତ ଖାଦ୍ୟାଭ୍ୟାସ ଦ୍ୱାରା ଶୀତଦିନେ ମଧ୍ୟ ତ୍ୱଚାକୁ ସୁସ୍ଥ, କୋମଳ ଓ ଚମକଦାର ରଖିହେବ।
