ଗ୍ୟାସ୍ ଏଜେନ୍ସି ଉପରେ ଚଢ଼ାଉ, ଗୋଦାମକୁ ଯାଞ୍ଚ କରିଛି ପ୍ରଶାସନ
କଟକ : ଗ୍ୟାସ ସଙ୍କଟ ଦେଖାଦେବା ପରେ କଟକ ପ୍ରଶାସନର ତତ୍ପରତା । ବିଭିନ୍ନ ସ୍ଥାନରେ ଗ୍ୟାସ୍ ଏଜେନ୍ସି ଉପରେ ଚଢ଼ାଉ ଆରମ୍ଭ ହୋଇଛି । କଟକରେ ଗ୍ୟାସ ଷ୍ଟକିଷ୍ଟ ମାନଙ୍କର ଗୋଦାମକୁ ଯାଞ୍ଚ କରାଯାଇଛି । ଅଭିଯୋଗ କ୍ରମେ ଗୋଟିଏ ସ୍ଥାନରେ ରେଡ କରାଯାଇ ରେକର୍ଡ ଯାଞ୍ଚ କରାଯାଇଛି । ଯେଉଁମାନେ କଳା ବଜାରୀ ଓ ଗ୍ୟାସ ଠୁଳ କରୁଛନ୍ତି, ସେମାନଙ୍କ ଉପରେ ଚଢ଼ାଉ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ସ୍ୱାସ୍ଥ୍ୟ ଓ ଶିକ୍ଷା ଅନୁଷ୍ଠାନକୁ ସରକାର ପ୍ରାଥମିକତା ଦେଉଛନ୍ତି । ଆବଶ୍ୟକ ସ୍ଥଳେ ସେହି ସ୍ଥାନକୁ ଗ୍ୟାସ ଯୋଗାଇ ଦିଆଯାଉଛି । ଏସସିବି ପାଇଁ ସାତ ଦିନ ପାଇଁ ଷ୍ଟକ ରଖାଯାଇଛି । ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ ରହିଛି । କମର୍ସିଆଲ ଷ୍ଟକ ବି ମହଜୁଦ ରହିଛି । ଘରୋଇ ଗ୍ୟାସ ପାଇଁ କୌଣସି ସମସ୍ୟା ନାହିଁ । ଶବଦାହ କେନ୍ଦ୍ରକୁ ଗ୍ୟାସରେ ଶବ ଦାହ ନ କରି କାଠ ଏବଂ ବିଦ୍ୟୁତରେ ଶବଦାହ କରିବା ପାଇଁ କୁହାଯାଇଛି । ଏନେଇ ସିଏମସିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।
ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ରାଜ୍ୟରେ ଗ୍ୟାସ୍ ଯୋଗାଣରେ ବାଧା । ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର । ଏଲପିଜି ସିଲିଣ୍ଡର ପାଇଁ ଏଜେନସୀ ଆଗରେ ଲମ୍ବା ଲାଇନ। ସ୍ଥିତି ଏମିତି ହେଇଛି ଯେ, ୨୦-୨୫ ଦିନ ପୂର୍ବରୁ ଗ୍ୟାସ ବୁକ କରିଥିଲେ ବି ମିଳୁନି ସିଲିଣ୍ଡର । ଭଦ୍ରକ ତଥା ଆଖାପାଖ ଅଞ୍ଚଳରେ ପ୍ରାୟ ୩୩ ହଜାର LPG ଉପଭୋକ୍ତା ଅଛନ୍ତି । ପ୍ରତି ମାସରେ ଭଦ୍ରକର LPG ଏଜେନ୍ସି ପାଖକୁ ୧୨ହଜାର ସିଲିଣ୍ଡର ଆସୁଥିଲା । ତାହା ଏବେ କମି ୮ ହଜାର ସିଲିଣ୍ଡର ଆସୁଛି। ଫଳରେ ପୂର୍ବରୁ ବୁକିଂ କରିଥିଲେ ବି ଠିକ୍ ସମୟରେ ମିଳୁନି ସିଲିଣ୍ଡର । ଯାହାକୁ ନେଇ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ବୁକିଂର ସମୟ ସୀମା ଏକ ମାସ ହୋଇଥିବାବେଳେ OTP କୁ ଆଧାର କରି ଗ୍ୟାସ ଯୋଗାଣ କରାଯାଉଥିବା ସାମାନ୍ୟ ସମସ୍ୟା ସୃଷ୍ଟି ହୋଇଥିବା ଗ୍ୟାସ୍ ଏଜେନ୍ସି ପକ୍ଷରୁ କୁହାଯାଇଛି ।
