ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ, ରାଷ୍ଟ୍ରପତି ଭବନ ଅଭିମୁଖେ ବିରୋଧୀଙ୍କ ପଦଯାତ୍ରା
ନୂଆଦିଲ୍ଲୀ : ଆଜି ରାଷ୍ଟ୍ରପତି ଭବନ ଅଭିମୁଖେ ବିରୋଧୀଙ୍କ ପଦଯାତ୍ରା । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ପୁଣି ଦିଲ୍ଲୀରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ । ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରା କରିବାକୁ ଯୋଜନା କରିଛନ୍ତି ବିରୋଧୀ ଦଳର ସାଂସଦ ।
ଭୋଟର ତାଲିକାର ସ୍ୱତନ୍ତ୍ର ସଂଘନ ସଂଶୋଧନ ବା SIR ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଓ ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀକୁ ନେଇ ବିରୋଧୀ ଦଳ ଲଗାତାର ପ୍ରଶ୍ନ ଉଠାଇ ଆସୁଛନ୍ତି । ବିରୋଧୀଙ୍କ ଅଭିଯୋଗ, SIR ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ୁଛି । ଫଳରେ ସାଧାରଣ ଲୋକଙ୍କ ମତଦାନ ଅଧିକାର ପ୍ରଭାବିତ ହେଉଥିବା ବିରୋଧୀ ନେତାମାନେ ଦାବି କରୁଛନ୍ତି । ଏହି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବିକୁ ଆହୁରି ଜୋରଦାର କରିବା ପାଇଁ ଆଜିର ପଦଯାତ୍ରା ଯୋଜନା କରାଯାଇଛି ।
ସୂଚନା ଅନୁସାରେ ଦିନ ୩ଟାରେ ସଂସଦର ସେଣ୍ଟ୍ରାଲ ହଲରେ ଏକାଠି ହେବାକୁ INDIA ମେଣ୍ଟର ସାଂସଦମାନଙ୍କୁ କୁହାଯାଇଛି । ସେଠାରୁ ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରା କରିବାର ଯୋଜନା ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି SIR ପ୍ରସଙ୍ଗରେ ଅଭିଯୋଗ ଜଣାଇବା ସହ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବାକୁ ବିରୋଧୀ ଚାହୁଁଛନ୍ତି । ତେବେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ପାଇଁ ସମୟ ଚୂଡ଼ାନ୍ତ ହୋଇନଥିବା ଜଣାପଡ଼ିଛି ।
ଗତ ତିନି ଦିନ ଧରି ଦିଲ୍ଲୀରେ ଲଗାତାର ଆନ୍ଦୋଳନ ଚଳାଇଛନ୍ତି ବିରୋଧୀ ସାଂସଦ । ପ୍ରଥମ ଦିନ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରା ହୋଇଥିଲା । ପରଦିନ ଜନ୍ତରମନ୍ତର ଯିବା ବେଳେ ପୋଲିସ ସହ ବିରୋଧୀ ସାଂସଦଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ବିରୋଧୀ ନେତାଙ୍କୁ ପୋଲିସ ଅଟକ ରଖିଥିଲା ।
ଗତକାଲି ତୃତୀୟ ଦିନରେ ରାଜଘାଟରେ ଧାରଣା ଦେଇଥିଲେ ପ୍ରାୟ ୨୦୦ ବିରୋଧୀ ସାଂସଦ । ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ପ୍ରତିବାଦ କରିଥିଲେ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଏଥିରେ ସାମିଲ ଥିଲେ । ବିରୋଧୀଙ୍କ ଅଭିଯୋଗକୁ ନେଇ ବିଜେପି ପାଲଟା ଜବାବ ଦେଇଛି । ନିର୍ବାଚନ କମିଶନ ମଧ୍ୟ SIR ସମ୍ପର୍କିତ ନିଜର ନିଷ୍ପତ୍ତି ଓ ପ୍ରକ୍ରିୟାକୁ ସମର୍ଥନ କରିଛନ୍ତି । ତେବେ ଜ୍ଞାନେଶ କୁମାରଙ୍କ ଇସ୍ତଫା ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ବିରୋଧୀ ନେତାମାନେ ଚେତାବନୀ ଦେଇଛନ୍ତି । ଆସନ୍ତା ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ବଡ଼ ସମାବେଶ ପାଇଁ ମଧ୍ୟ INDIA ମେଣ୍ଟ ଯୋଜନା କରିଛି ।
